ଜାତୀୟମନୋରଞ୍ଜନ

ପୁଣି ଉଦିତ ନାରାୟଣଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ, ୧୨/୦୨/୨୦୨୬: ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ ଏକ ଗମ୍ଭୀର ଅପରାଧିକ ବିବାଦରେ ଫସିଛନ୍ତି। ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ଦେବୀ ବିହାରର ସୁପୌଲ ଜିଲା ମହିଳା ଥାନାରେ ଉଦିତଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ରଞ୍ଜନାଙ୍କ ଦାବି ଅନୁଯାୟୀ, ଚିକିତ୍ସା ବାହାନାରେ ତାଙ୍କ ଅଜାଣତରେ ଏବଂ ସମ୍ମତି ବିନା ତାଙ୍କ ଗର୍ଭାଶୟ କାଢ଼ି ନିଆଯାଇଥିଲା। ଏହି ମାମଲାରେ ସେ ଉଦିତ ନାରାୟଣଙ୍କ ସମେତ ତାଙ୍କର ଦୁଇ ଭାଇ ଏବଂ ଦ୍ୱିତୀୟ ପତ୍ନୀ ଦୀପା ନାରାୟଣଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ରର ଅଭିଯୋଗ ଆଣି ଆନୁଷ୍ଠାନିକ ଭାବେ ଆବେଦନ ଦାଖଲ କରିଛନ୍ତି।

ରଞ୍ଜନାଙ୍କ କହିବା ଅନୁସାରେ, ୧୯୮୪ ମସିହାରେ ସେ ଉଦିତଙ୍କୁ ବିବାହ କରିଥିଲେ। ମାତ୍ର କ୍ୟାରିଅର ପାଇଁ ଉଦିତ ମୁମ୍ବାଇ ଯିବା ପରେ ଦୀପା ନାରାୟଣଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସବୁଠାରୁ ବଡ଼ ଅଭିଯୋଗ ହେଉଛି ଯେ, ୧୯୯୬ ମସିହାରେ ଉଦିତ ଓ ତାଙ୍କ ପରିବାର ଲୋକେ ରଞ୍ଜନାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଏକ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କ ଅଜାଣତରେ ଅସ୍ତ୍ରୋପଚାର କରି ଗର୍ଭାଶୟ କାଢ଼ି ଦିଆଯାଇଥିଲା। ଅନେକ ବର୍ଷ ପରେ ଅନ୍ୟ ଏକ ଡାକ୍ତରୀ ପରୀକ୍ଷା ସମୟରେ ସେ ଏହି ସତ୍ୟ ଜାଣିବାକୁ ପାଇଥିଲେ, ଯାହା ତାଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା।

ରଞ୍ଜନା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ୨୦୦୬ରେ ସେ ମୁମ୍ବାଇ ଯାଇଥିବା ବେଳେ ଉଦିତ ଓ ଦୀପା ତାଙ୍କୁ ଘରୁ ବାହାର କରିଦେଇଥିଲେ। ଏପରିକି ନେପାଳସ୍ଥିତ ଶ୍ୱଶୁର ଘରେ ମଧ୍ୟ ତାଙ୍କୁ ଅସମ୍ମାନ କରାଯାଇଥିଲା। ପୂର୍ବରୁ ମହିଳା କମିଶନ ଓ କୋର୍ଟରେ ମାମଲା ଚାଲିଥିବା ବେଳେ ଉଦିତ ତାଙ୍କୁ ସମାଧାନର ପ୍ରତିଶ୍ରୁତି ଦେଇ ପରେ ବିଫଳ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କୌଣସି ଆର୍ଥିକ ସହାୟତା ମିଳିନଥିବା ବେଳେ ସେ ନିଜ ବାପାମାଆଙ୍କ ଘରେ ରହୁଛନ୍ତି। ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି।

Related Articles

Back to top button