ଓଡ଼ିଶାରାଜନୀତି

ପୁଣି ଗର୍ଜିଲେ ଅରବିନ୍ଦ: “ନବୀନ ଉତ୍ତର ଦେଇପାରିଲେନି, ବିଧାନସଭାରେ ପୁଣି ପଚାରିବି”

ଭୁବନେଶ୍ୱର, ୧୩/୦୨/୨୦୨୬ : ବିଜେଡିରୁ ବହିଷ୍କୃତ ହେବା ପରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ନିଜ ଆଭିମୁଖ୍ୟକୁ ଆହୁରି ଶାଣିତ କରିଛନ୍ତି। ଆଜି ଏକ ବିସ୍ଫୋରକ ବୟାନ ଦେଇ ସେ ପୁଣିଥରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି। ଅରବିନ୍ଦ କହିଛନ୍ତି ଯେ, ସେ ପୂର୍ବରୁ ଦୁର୍ନୀତି ଓ ବିଶ୍ୱାସଘାତକତା ସମ୍ପର୍କରେ ଯେଉଁ ପ୍ରଶ୍ନ ପଚାରିଥିଲେ ଏବଂ ସତ୍ୟାସତ୍ୟ ଯାଞ୍ଚ ପାଇଁ ଯେଉଁ ଚ୍ୟାଲେଞ୍ଜ ଦେଇଥିଲେ, ନବୀନ ବାବୁ ତାହାର କୌଣସି ଉତ୍ତର ଦେଇପାରିଲେ ନାହିଁ। ଏହି ପ୍ରସଙ୍ଗରେ ସେ ନିଜ ଜିଦ୍‌ରେ ଅଟଳ ରହିବା ସହ ଆଗାମୀ ଦିନରେ ବିଧାନସଭାରେ ସାମ୍ନାସାମ୍ନି ହେଲେ ପୁଣି ସେହି ସମାନ ପ୍ରଶ୍ନ ପଚାରିବେ ବୋଲି ସ୍ପଷ୍ଟ କରିଛନ୍ତି।

ଅରବିନ୍ଦ ନିଜକୁ ଏବେ ଜଣେ ‘ସ୍ୱାଧୀନ’ ଜନପ୍ରତିନିଧି ଭାବେ ଉପସ୍ଥାପନ କରି କହିଛନ୍ତି ଯେ, ସେ ବର୍ତ୍ତମାନ କୌଣସି ଦଳୀୟ ଶୃଙ୍ଖଳାରେ ବନ୍ଧା ନୁହନ୍ତି। ଆଗାମୀ ରାଜ୍ୟସଭା ନିର୍ବାଚନରେ ସେ କୌଣସି ନିର୍ଦ୍ଦିଷ୍ଟ ଦଳକୁ ନୁହେଁ, ବରଂ ପ୍ରାର୍ଥୀଙ୍କ ଯୋଗ୍ୟତା ଦେଖି ନିଜର ମତାଧିକାର ସାବ୍ୟସ୍ତ କରିବେ। ବିଧାନସଭା ଅଧିବେଶନ ସମୟରେ ସେ ସ୍ୱାଧୀନ ଭାବେ ଜନସାଧାରଣଙ୍କ ସମସ୍ୟା ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ ବୋଲି ଚେତାବନୀ ଦେଇଛନ୍ତି।

ତାଙ୍କର ଏହି ବୟାନ ପରେ ରାଜ୍ୟ ରାଜନୀତିରେ ବିଶେଷ କରି ପାଟକୁରା ନିର୍ବାଚନ ମଣ୍ଡଳୀ ଓ ବିଜେଡି ଶିବିରରେ ଚର୍ଚ୍ଚା ଜୋର ଧରିଛି। ଜଣେ ଯୁବ ବିଧାୟକ ଭାବେ ଅରବିନ୍ଦଙ୍କ ଏହି ବିଦ୍ରୋହୀ ଆଭିମୁଖ୍ୟ ଆଗାମୀ ଦିନରେ ବିଧାନସଭାରେ କି ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା।

Related Articles

Back to top button