ଓଡ଼ିଶାରାଜନୀତି

ଓଡ଼ିଶା ହେବ ବିକାଶର ଗ୍ରୋଥ୍‌ ଇଞ୍ଜିନ: ବଜେଟ୍ ଅଭିଭାଷଣରେ ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟପାଳ

ଭୁବନେଶ୍ୱର, ୧୭/୦୨/୨୦୨୬: ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ନିଜ ଅଭିଭାଷଣ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ବିକଶିତ ଭାରତ ଗଠନ ଦିଗରେ ଓଡ଼ିଶା ଏକ ପ୍ରମୁଖ ‘ଗ୍ରୋଥ୍ ଇଞ୍ଜିନ’ ସାଜିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଶିକ୍ଷା, କୃଷି, ମହିଳା ସଶକ୍ତୀକରଣ ଏବଂ ଶିଳ୍ପାୟନ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ରାଜ୍ୟର ବିକାଶ ଧାରାକୁ ତ୍ୱରାନ୍ୱିତ କରିଛି ବୋଲି ସେ କହିଛନ୍ତି।

ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାର ‘ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ୨୦୨୮-୨୯ ମସିହା ମଧ୍ୟରେ ୨୨୦୦ଟି ବିଦ୍ୟାଳୟ ପାଇଁ ୧୨,୦୦୦ କୋଟି ଟଙ୍କା ବ୍ୟୟ କରାଯିବ। ଆଧୁନିକ ଶ୍ରେଣୀକକ୍ଷ ଓ ଡିଜିଟାଲ ଶିକ୍ଷା ମାଧ୍ୟମରେ ପ୍ରତ୍ୟେକ ଶିଶୁଙ୍କୁ ମୌଳିକ ସାକ୍ଷରତା ଓ ଦକ୍ଷତା ପ୍ରଦାନ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ସେହିପରି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୧୬ ଲକ୍ଷରୁ ଅଧିକ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ରାଜ୍ୟ ସଫଳ ହୋଇଥିବା ବେଳେ ‘ସୁଭଦ୍ରା’ ଯୋଜନାରେ ୧ କୋଟି ୧୨ ଲକ୍ଷରୁ ଅଧିକ ମହିଳା ଆବେଦନ କରି ସୁଫଳ ପାଉଛନ୍ତି।

କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇ ରାଜ୍ୟପାଳ କହିଛନ୍ତି ଯେ, ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ପାଇଁ ୬୦୦୦ କୋଟି ଟଙ୍କା ଏବଂ ‘ସିଏମ୍ କିଶାନ’ ଯୋଜନାରେ ୨୦୨୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହାଦ୍ୱାରା ଚାଷୀ ପରିବାରର ଆୟ ବୃଦ୍ଧି ପାଇଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ରାଜ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିଛି। ‘ମେକ୍ ଇନ୍ ଓଡ଼ିଶା ୨୦୨୫’ ମାଧ୍ୟମରେ ୭.୧ ଲକ୍ଷ କୋଟିରୁ ଅଧିକ ନିବେଶ ପ୍ରସ୍ତାବ ଆସିଥିବା ବେଳେ ଏହାଦ୍ୱାରା ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ସୂଚନା ଦେଇଛନ୍ତି।

ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଓ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ଯୋଗୁଁ ଲକ୍ଷ ଲକ୍ଷ ପରିବାର ଉପକୃତ ହେଉଛନ୍ତି। ରାଜ୍ୟର ୧୧ ହଜାରରୁ ଅଧିକ ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ଚାଉଳ ପହଞ୍ଚାଯାଉଛି। ସାମଗ୍ରିକ ଭାବେ, ରାଜ୍ୟ ସରକାରଙ୍କ ଏହି ସବୁ ପ୍ରୟାସ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିତୋଳିବାରେ ସହାୟକ ହେବ ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ ସ୍ପଷ୍ଟ କରିଛନ୍ତି।

Related Articles

Back to top button