ଓଡ଼ିଶାଜାତୀୟ

ଆଜିଠୁ ଆରମ୍ଭ ପବିତ୍ର ରମ୍‌ଜାନର ମାସ

ଜାଣନ୍ତୁ କାହିଁକି ରଖାଯାଏ ରୋଜା ଏବଂ କଣ ରହିଛି ଏହାର ଆଧ୍ୟାତ୍ମିକ ମହତ୍ତ୍ୱ

ଭୁବନେଶ୍ୱର,୧୯/୦୨/୨୦୨୬: ଆଜିଠାରୁ ମୁସଲିମ୍ ସମ୍ପ୍ରଦାୟର ସବୁଠାରୁ ପବିତ୍ର ମାସ ‘ରମ୍‌ଜାନ’ ଆରମ୍ଭ ହୋଇଛି। ଚାନ୍ଦ ଦେଖାଯିବା ପରେ ସାରା ବିଶ୍ୱର ମୁସଲିମ ଭାଇଭଉଣୀମାନେ ପବିତ୍ର ରୋଜା ବା ଉପବାସ ରଖିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଇସଲାମିକ୍ କ୍ୟାଲେଣ୍ଡର ବା ହିଜରୀ କ୍ୟାଲେଣ୍ଡର ଅନୁଯାୟୀ, ରମଜାନ ହେଉଛି ବର୍ଷର ନବମ ମାସ। ଏହି ମାସକୁ ତ୍ୟାଗ, ସଂଯମ ଏବଂ ଆତ୍ମଶୁଦ୍ଧିର ସମୟ ବୋଲି ବିଚାର କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ପବିତ୍ର ମାସରେ ହିଁ ପ୍ରଭୁ ଆଲ୍ଲାଙ୍କ ବାଣୀ ‘କୋରାନ ସରିଫ’ ଧରାପୃଷ୍ଠକୁ ଅବତରଣ କରିଥିଲା, ଯେଉଁଥିପାଇଁ ଏହାର ମହତ୍ତ୍ୱ ଅନ୍ୟ ମାସ ତୁଳନାରେ ଅଧିକ ରହିଛି।

ରମଜାନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆତ୍ମିକ ଶୁଦ୍ଧତା। ରୋଜା ରଖୁଥିବା ଶ୍ରଦ୍ଧାଳୁମାନେ ସୂର୍ଯ୍ୟୋଦୟ ପୂର୍ବରୁ ‘ସେହେରୀ’ ଖାଇ ଉପବାସ ଆରମ୍ଭ କରନ୍ତି ଏବଂ ସୂର୍ଯ୍ୟାସ୍ତ ପରେ ‘ଇଫତାର’ କରି ବ୍ରତ ଭାଙ୍ଗନ୍ତି। ଏହି ଉପବାସ ନିଜର ଖରାପ ଅଭ୍ୟାସ, କ୍ରୋଧ ଏବଂ ଅହଂକାରକୁ ଜଳାଇ ଦେବାର ଏକ ମାଧ୍ୟମ ବୋଲି ବିଶ୍ୱାସ କରନ୍ତି ମୁସଲିମ ସମ୍ପ୍ରଦାୟ । ‘ରମଜାନ’ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ‘ଜଳିଯିବା’, ଅର୍ଥାତ୍ ଯେଉଁ ମାସରେ ମଣିଷର ସମସ୍ତ ପାପ ପୁଣ୍ୟ କର୍ମ ଦ୍ୱାରା ଜଳି ପାଉଁଶ ହୋଇଯାଏ, ତାହାହିଁ ରମଜାନ।

ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ମାସ ଜଣେ ବ୍ୟକ୍ତିକୁ ଧୈର୍ଯ୍ୟ ଏବଂ ଶୃଙ୍ଖଳା ଶିଖାଇଥାଏ। ରୋଜା ରଖିବା ଦ୍ୱାରା ଗରିବ ଏବଂ ଅସହାୟଙ୍କ ପ୍ରତି ମନରେ ଦୟା ଭାବ ଜାଗ୍ରତ ହୁଏ ବୋଲି ମୁସଲମାନ ମାନେ ବିଶ୍ୱାସ କରନ୍ତି । ଏହି ସମୟରେ ‘ଜକାତ୍’ ବା ଦାନର ବିଶେଷ ପରମ୍ପରା ରହିଛି। ନିଜ ଆୟର କିଛି ଅଂଶ ଅଭାବୀ ଲୋକଙ୍କୁ ଦେବା ଦ୍ୱାରା ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଏହିପରି ଭାବେ ପ୍ରାର୍ଥନା, ସେବା ଏବଂ ସଂଯମତା ମାଧ୍ୟମରେ ରମଜାନ ମାସ ସମାଜରେ ଶାନ୍ତି ଏବଂ ଭାଇଚାରାର ବାର୍ତ୍ତା ପ୍ରସାର କରିଥାଏ।

Related Articles

Back to top button