ମହାନଦୀରେ ଦୁଃସାହସିକ ଜଳକ୍ରୀଡା ଶିବିରର ଶୁଭାରମ୍ଭ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ


ଭୁବନେଶ୍ବର: ମହାନଦୀର ଗଭୀର ଜଳରାଶିରେ ରାଜ୍ୟର ୫ ଜିଲ୍ଲାର ୧୫୦ ଏନଏସଏସ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଛି ଦୁଃସାହସିକ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର । ଉଚ୍ଚଶିକ୍ଷା ତଥା କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜେ ଅତ୍ୟାଧୁନିକ ୱାଟର୍ ସ୍କୁଟରରେ ମହାନଦୀ ଜଳ ଭିତରକୁ ଯାଇ ଶିବିରକୁ ଉଦଘାଟନ କରିଥିଲେ । ଏଥିରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ୬ ଦିନ ଧରି ୧୨ଟି ଇଭେଣ୍ଟରେ ଦୁଃସାହସିକ ଜଳକ୍ରୀଡାର ବିଭିନ୍ନ କୌଶଳ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ । ପିଲାମାନେ ଦିନରାତି ମହାନଦୀ ଭିତରେ ଥିବା ପଠାରେ ରହି ଏହି ଜଳକ୍ରୀଡାର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବେ । କଟକ ତୁଳସୀପୁର ଡିୟର ପାର୍କ ନିକଟରେ ମହାନଦୀର ଗଭୀର ଜଳରାଶିରେ ଆରମ୍ଭ ହୋଇଥିବା ଜଳକ୍ରୀଡାରେ ଜଣାଶୁଣା ସ୍କୁବା ଡାଇଭର ସବୀର ବକ୍ସ ଓ ତାଙ୍କ ଟିମ ୬ ଦିନ ଧରି ଏହି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ । ଫଳରେ ସେମାନେ ସାହସୀ ହେବା ସହ ଆଗକୁ ଜଳକ୍ରୀଡାରେ ସୁନାମ ଆଣିବେ । ଏନେଇ କ୍ରୀଡା ମନ୍ତ୍ରୀ କହିଛନ୍ତି ଜଳକ୍ରୀଡ଼ା କରିବା ଓଡିଶାର ପ୍ରତ୍ୟକଟି ଓଡ଼ିଆଙ୍କ ଜିନରେ ରହିଛି । ଆମ ଓଡିଶାର କ୍ରୀଡାବିତ ମାନେ ଅଲମ୍ପିକରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ମନ୍ତ୍ରୀ ଆଶାପ୍ରକଟ କରିଛନ୍ତି । ଆଗରୁ ଏନଏସଏସର ସ୍ଥଳଭାଗରେ ବର୍ଷ ତମାମ ଛାତ୍ରଛାତ୍ରୀଙ୍କୁ ନେଇ ଶିବିର ଆୟୋଜିତ ହେଉଥିଲା । ତେବେ ନଦୀନାଳ, ସମୁଦ୍ର ଭରା ଆମ ରାଜ୍ୟର ଉପକୂଳ ଅଂଚଳର ପିଲାମାନେ ଜଳକ୍ରୀଡାର ବିଶେଷ ଅଭିଜ୍ଞତା ପାଇ ପାରୁ ନ ଥିଲେ । “ତେଣୁ ଏଭଳି ଶିବିର ଦ୍ଵାରା ପ୍ରଥମ ପର୍ଯ୍ୟାୟରେ ଦେଢଶହ ଛାତ୍ରଛାତ୍ରୀ ଜଳକ୍ରୀଡାର କୌଶଳ ଶିଖି ସାହାସୀ ହେବା ସହ ଜଳକ୍ରୀଡାରେ ମନ ବଳାଇବେ । ଯାହାକି ଅନେକ ଯୁବପିଢ଼ୀଙ୍କୁ ବେଶ ଉତ୍ସାହିତ କରିବ,” ବୋଲି ସବୀର ବକ୍ସ କହିଛନ୍ତି । ସୋସିଆଲ ମିଡିଆ ଏକ୍ସରେ କ୍ରୀଡାମନ୍ତ୍ରୀ ଲେଖିଛନ୍ତି, “ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ଦୁଃସାହସିକ ଜଳକ୍ରୀଡ଼ା ଶିବିରର ଶୁଭାରମ୍ଭ ହୋଇଛି । ମହାନଦୀ ତଟର ସୂର୍ଯ୍ୟ ଦ୍ବୀପରେ ଏହି ରୋମାଞ୍ଚକ କ୍ରୀଡ଼ାରେ ୧୦ଟି ଭିନ୍ନ ବର୍ଗରେ ୧୫୦ କ୍ରୀଡ଼ାବିତ ଅଂଶଗ୍ରହଣ କରୁଛନ୍ତି । ଅନୁଭବୀ ପ୍ରଶିକ୍ଷକ ତଥା ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆମ ଯୁବ ପ୍ରତିଭାମାନେ ଅନୁଶାସନ, ଆତ୍ମବିଶ୍ୱାସ ଓ ସାହସ ସହିତ ଏହି ଜଳକ୍ରୀଡ଼ାର ଅଭ୍ୟାସ ଓ ପ୍ରଶିକ୍ଷଣ ଲାଭ କରିବେ । ଏଥିରେ ଭାଗ ନେଉଥିବା ସମସ୍ତ କ୍ରୀଡ଼ାବିତଙ୍କୁ ଆନ୍ତରିକ ଶୁଭେଚ୍ଛା ।”




