ଡ୍ରେନ୍ କାମ ଚାଲିଥିଲା ବେଳେ କାନ୍ଥ ଭୁଶୁଡ଼ି ୨ ମୃତ, ୪ ଗୁରୁତର


ଭୁବନେଶ୍ୱର: ରାଜଧାନୀରେ ପାଚେରୀ ଭାଙ୍ଗି ୨ ମୃତ । ବଡଗଡ଼ ଭୋଇ ସାହିରେ ଏହି ଅଘଟଣ ଘଟିଛି । ଡ୍ରେନ କାମ ଚାଲୁଥିବା ବେଳେ ଭୁଶୁଡିଲା ପାଚେରୀ । ୪ ଜଣ ଆହତ ହୋଇଥିବା ବେଳେ । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ମୃତକ ହେଲେ ଗଞ୍ଜାମର ସନ୍ନ୍ୟାସୀ ମହାରଣା (୫୦) । ଅନ୍ୟଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତ ସନ୍ନ୍ୟାସୀ ମହାରଣାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ଅନ୍ୟଜଣଙ୍କ ପରିଚୟ ମିଳିଲେ ପରିବାର ଲୋକ ଆସିଲେ ଶବ ବ୍ୟବଚ୍ଛେଦ ହେବ । ୪ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଆବଶ୍ୟକ ପଡିଲେ ଅଧିକ ଚିକିତ୍ସା ପାଇଁ ଏମ୍ସ କିମ୍ବା ଏସସିବିକୁ ସ୍ଥାନାନ୍ତର କରାଯିବ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କଡ଼ରେ ଡ୍ରେନ ପାଇଁ ଗାତ ଖୋଳାଯାଇଥିଲା । ଗାତ ଖୋଲିବା ପରେ ମାଟି ଅତଡ଼ା ଖସିଯିବାରୁ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଆଉ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେଇଛି । ଘଟଣା ପରେ ବଡଗଡ ଥାନା ପୋଲିସ ତଦନ୍ତ କରୁଥିବା ବେଳେ ଶ୍ରମିକଙ୍କୁ ନିୟୋଜିତ କରିଥିବା ଠିକାଦାରକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ବରଗଡ ପୋଲିସ କହିଛି ।




