ବି.ଜେ.ପି. ସରକାର ‘ମଦମୁକ୍ତ ଓଡ଼ିଶା’ ନା ‘ମଦଯୁକ୍ତ ଓଡ଼ିଶା’ ଗଠନ କରୁଛି : ନବୀନ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଟେଟ୍ରା ପ୍ୟାକରେ ମଦ ବିକ୍ରି କରି ବି.ଜେ.ପି. ସରକାର ‘ମଦମୁକ୍ତ ଓଡ଼ିଶା’ ନା ‘ମଦଯୁକ୍ତ ଓଡ଼ିଶା’ ଗଠନ କରୁଛି ? ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ବି.ଜେ.ପି. ସରକାରକୁ ଆସିଥିଲା । ହେଲେ କ୍ଷମତାକୁ ଆସିବା ପରେ ମଦର ପ୍ରସାର ଓ ସହଜ ଉପଲବ୍ଧ କରିବା ଦିଗରେ ସରକାର କାର୍ୟ୍ୟ କରୁଛନ୍ତି । ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବା, କାଚ ବୋତଲ ବଦଳରେ ଟେଟ୍ରା ପ୍ୟାକରେ ମଦ ବିକ୍ରି କରିବାକୁ ନିଷ୍ପତ୍ତି ନେଇ ବି.ଜେ.ପି. ସରକାର ଓଡ଼ିଶାବାସୀଙ୍କୁ ହତାଶ ଓ ନିରାଶ କରିଛି । ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କୁ ଏପରି ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନବୀନ ଆହୁରି କହିଛନ୍ତି ଓଡ଼ିଶାରେ ମହିଳା, ଶିଶୁଙ୍କ ସୁରକ୍ଷା ତଥା ଆଇନ ଶୃଙ୍ଖଳା ସ୍ଥିତି ବିପର୍ୟ୍ୟସ୍ତ ହୋଇଥିବାବେଳେ ସରକାରଙ୍କ ଏପରି ପଦକ୍ଷେପ ପରିସ୍ଥିତିକୁ ଆହୁରି ସଙ୍କଟଜନକ କରିଦେବ । ଏହା ଓଡ଼ିଶାର ମା’ ଭଉଣୀଙ୍କ ସୁରକ୍ଷାକୁ ଆହୁରି ବିପନ୍ନ କରିବା ସହ ଯୁବସମାଜ ଓ କୋମଳମତି ଛାତ୍ରଙ୍କ ମନକୁ ବିକୃତ କରିବ । ବି.ଜେ.ପି ସରକାର ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରୁ । ନଚେତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଜୋରଦାର କରିବ ବୋଲି ନବୀନ ଚେତାବନୀ ଦେଇଛନ୍ତି ।




