
ଭୁବନେଶ୍ୱର ,ଧଉଳି ଲିଙ୍ଗିପୁର ଅଞ୍ଚଳରେ ଥିବା ଏକ ସୁପରମାର୍କେଟରେ, ଗତକାଲି ରାତିରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋମବାର ରାତି ପ୍ରାୟ ୧୦ଟା ସମୟରେ ସୁପରମାର୍ଟର ତୃତୀୟ ମହଲାରୁ ନିଆଁ ଆରମ୍ଭ ହୋଇଥିବା ସୂଚନା ମିଳିଛି।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଟିମ୍ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ପ୍ରାରମ୍ଭରେ କିଛି ଦମକଳ ନିୟୋଜିତ ହୋଇଥିଲେ ମଧ୍ୟ, ପରିସ୍ଥିତି ଗମ୍ଭୀର ହେବାରୁ ପରେ, ମୋଟ ୮ଟି ଫାୟାର ଟେଣ୍ଡର୍ ନିଆଁ ଲିଭା କାମରେ ଲାଗିଛି। ଆଜି ସକାଳେ ଆଉ ଅଧିକ ଅଗ୍ନିଶମ ଗାଡ଼ି, ଯୋଡ଼ି ହୋଇ ଉଦ୍ୟମ ଜାରି ରହିଛି ।ନିଆଁ ଲିଭା କାର୍ଯ୍ୟ ପାଇଁ ୨୦୦ ଫୁଟ ଉଚ୍ଚତାକୁ ପହଞ୍ଚିପାରୁଥିବା ହାଇଡ୍ରୋଲିକ୍ ପ୍ଲାଟଫର୍ମ ବ୍ୟବହାର କରାଯାଉଛି। ଷ୍ଟ୍ରାଇକିଂ ଫାୟାର ଫୋର୍ସ ମଧ୍ୟ ନୂତନ କୌଶଳ ଅପଣାଇ, ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।ନିଆଁ ଏବଂ ଧୂଆଁ ବିଲ୍ଡିଂରୁ ବାହାରୁଥିବାରୁ, ଆଖପାଖର ଦୋକାନ ଓ ଘରକୁ ବି ନିଆଁ ବ୍ୟାପିବାର ଆଶଙ୍କା ରହିଛି । ସତର୍କତା ସ୍ୱରୂପ ଗତରାତିରୁ ସମଗ୍ର ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ କରାଯାଇଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ, ଅଗ୍ନିଶମ ବିଭାଗ ଓ ସମ୍ବନ୍ଧିତ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି। ଏହି ନିଆଁ ଦୀର୍ଘ ସମୟ ଧରି ନିୟନ୍ତ୍ରଣରେ ଆସିପାରିନଥିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି।




