ଓଡ଼ିଶା ଆସିବେ ଟ୍ରିବ୍ୟୁନାଲ ମୁଖ୍ୟ ,ଫିଟିବ ମହାନଦୀ ଜଳ ବିବାଦ ସମାଧାନ ବାଟ !

ଭୁବନେଶ୍ବର,୨୪/୦୨/୨୦୨୬ : ଓଡ଼ିଶାର ଜୀବନ ରେଖା କୁହାଯାଉଥିବା ମହାନଦୀକୁ ମିଳିବ ନ୍ୟାୟ । ଶେଷରେ ଓଡ଼ିଶା ଆସୁଛନ୍ତି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ମୁଖ୍ୟ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଏବଂ ତାଙ୍କ ଟିମ୍ । ଆସନ୍ତା ୨୬ ଫେବୃଆରୀରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ମହାନଦୀ ଅବବାହିକାର ଭୂମି ପରିଦର୍ଶନ କରିବେ ଟ୍ରିବ୍ୟୁନାଲର ଅଧ୍ୟକ୍ଷା । ଏହି ପରିଦର୍ଶନ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଏକ ପ୍ରୟାସ ହେବ ବୋଲି ଆଶା କରାଯାଉଛି । ଏହି କମିଟି ମହାନଦୀର ଝାରସୁଗୁଡା, ସମ୍ବଲପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ପାଇଁ ଫିଟିଲା ବାଟ ।
ପୂର୍ବରୁ ଟ୍ରିବ୍ୟୁନାଲ ପକ୍ଷରୁ ଏକ ବୈଷୟିକ ଟିମ୍ ଓଡ଼ିଶା ଆସି ମହାନଦୀ ଉପର ମୁଣ୍ଡରୁ ତଳ ମୁଣ୍ଡ ପର୍ଯ୍ୟନ୍ତ ବୁଲି ସମୀକ୍ଷା କରିଥିଲେ । ଏବେ ଖୋଦ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଏବଂ ଅନ୍ୟ ସଦସ୍ୟମାନେ ଆସୁଥିବାରୁ ଏହି ଜଳ ବିବାଦର ସମାଧାନ ହେବା ନେଇ ଆଶା ସଞ୍ଚାର ହୋଇଛି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ (MWDT)ର ଅଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟଗଣଙ୍କ ପରିବାର ସଦସ୍ୟ ଓ ଅନ୍ୟ କର୍ମଚାରୀଙ୍କ ସହିତ ମୋଟ ୧୦ ଜଣ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯାହାଙ୍କୁ ରାଜ୍ୟ ଅତିଥି ଭାବରେ ଘୋଷଣା କରାଯାଇଛି । ସେପଟେ ପୁରୀ ଗସ୍ତ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।




