
ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୬: ଭୁବନେଶ୍ୱର ମହାନଗର ନିଗମ (BMC)ର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧୦୫୦ କୋଟି ଟଙ୍କାର ବଜେଟ୍ ଆଜି ଅନୁମୋଦିତ ହୋଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନରେ ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାଜକିଶୋର ଦାସ ଏହି ବଜେଟ୍ ଉପସ୍ଥାପନ କରିଥିଲେ। ସହରକୁ ସୁସ୍ଥ, ସ୍ୱଚ୍ଛ ଓ ସବୁଜ କରିବା ଲକ୍ଷ୍ୟରେ ଆଗତ ଏହି ବଜେଟରେ ସରକାରୀ ଅନୁଦାନରୁ ୭୫୦ କୋଟି ଏବଂ ନିଗମର ନିଜସ୍ୱ ଆୟରୁ ୩୦୦ କୋଟି ଟଙ୍କା ସଂଗ୍ରହ ପାଇଁ ଆକଳନ କରାଯାଇଛି। ତେବେ ସରକାରୀ ଅନୁଦାନ ପାଇବା ନିମନ୍ତେ ଏଥର ବାର୍ଷିକ ଆୟରେ ୧୨.୬୫ ପ୍ରତିଶତ ବୃଦ୍ଧି କରିବାକୁ ସର୍ତ୍ତ ରହିଥିବାରୁ ବିଏମ୍ସି ନିଜସ୍ୱ ରାଜସ୍ୱ ଆଦାୟ ଉପରେ ଅଧିକ ଧ୍ୟାନ ଦେବ ବୋଲି ବଜେଟ୍ ଅଭିଭାଷଣରେ କୁହାଯାଇଛି।
ଏହି ବଜେଟରେ ସହରର ଭିତ୍ତିଭୂମି ବିକାଶ ଏବଂ ସଫେଇ ବ୍ୟବସ୍ଥାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ମୋଟ ବ୍ୟୟ ବରାଦ ମଧ୍ୟରୁ ପ୍ରଶାସନିକ ଓ ଆନୁସଙ୍ଗିକ କାର୍ଯ୍ୟ ପାଇଁ ୬୩୯.୪୧ କୋଟି ଟଙ୍କା ରଖାଯାଇଥିବା ବେଳେ କେବଳ ପରିମଳ ଓ ସଫେଇ ପାଇଁ ୧୮୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ନୂତନ ରାସ୍ତା ନିର୍ମାଣ ପାଇଁ ୯୦ କୋଟି, ଡ୍ରେନେଜ୍ ବ୍ୟବସ୍ଥା ପାଇଁ ୭୫ କୋଟି, ଶ୍ମଶାନର ଉନ୍ନତି ପାଇଁ ୧୫.୭୫ କୋଟି ଏବଂ ବାୟୋ-ମାଇନିଂ କାର୍ଯ୍ୟ ପାଇଁ ୨୪.୬୧ କୋଟି ଟଙ୍କା ବିନିଯୋଗ କରାଯିବ। ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଗୁଡ଼ିକ ପାଇଁ ମଧ୍ୟ ୧୦.୨୮ କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି, ଯାହା ସହରର ସୌନ୍ଦର୍ଯ୍ୟକରଣରେ ସହାୟକ ହେବ।
ରାଜଧାନୀବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ସହ ଡିଜିଟାଲ୍ ସେବାର ସମ୍ପ୍ରସାରଣ ଏବଂ ପରିବେଶ ସୁରକ୍ଷା ପାଇଁ ଏହି ବଜେଟକୁ ଏକ ‘ଲୋକାଭିମୁଖୀ ବଜେଟ୍’ ଭାବେ ମେୟର ଅଭିହିତ କରିଛନ୍ତି। ପାର୍କ ନିର୍ମାଣ, ସବୁଜାୟନ ଏବଂ ସମସ୍ତ ବର୍ଗର ଲୋକଙ୍କ ପାଇଁ ଉତ୍ତମ ବାସୋପଯୋଗୀ ପରିବେଶ ସୃଷ୍ଟି କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅଧିବେଶନରେ ଡେପୁଟି ମେୟର, କମିଶନର ଚଞ୍ଚଳ ରାଣାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ରହି ବଜେଟକୁ ସ୍ୱାଗତ ଜଣାଇଥିଲେ।




