ଓଡ଼ିଶା

ମାର୍ଚ୍ଚ ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ! ଆର୍ଥିକ ବର୍ଷ ଶେଷ ପୂର୍ବରୁ ସାରି ଦିଅନ୍ତୁ ଆପଣଙ୍କର ସବୁ ଜରୁରୀ କାମ

ଭୁବନେଶ୍ୱର,୨୭/୦୨/୨୦୨୬: ଆସନ୍ତା ମାର୍ଚ୍ଚ ମାସ ପାଇଁ ବ୍ୟାଙ୍କ କାମ ବାକି ରଖିଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ସୂଚନା। ଆସନ୍ତା ମାସରେ ବ୍ୟାଙ୍କ ଗୁଡ଼ିକ ପ୍ରାୟ ଅଧା ମାସ ଅର୍ଥାତ୍ ୧୮ ଦିନ ବନ୍ଦ ରହିବ। ହୋଲିଠାରୁ ଆରମ୍ଭ କରି ଇଦ୍ ଏବଂ ରାମ ନବମୀ ଭଳି ଅନେକ ବଡ଼ ପର୍ବ ଏହି ମାସରେ ପଡ଼ୁଥିବାରୁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ମାସ ହେଉଛି ଆର୍ଥିକ ବର୍ଷର ଶେଷ ମାସ, ତେଣୁ ସାଧାରଣତଃ ଏହି ସମୟରେ ବ୍ୟାଙ୍କିଙ୍ଗ୍ କାର୍ଯ୍ୟର ଚାପ ସବୁଠାରୁ ଅଧିକ ଥାଏ। ହେଲେ ଆସନ୍ତା ମାର୍ଚ୍ଚ ୨୦୨୬ରେ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୧୮ ଦିନ ବ୍ୟାଙ୍କ ଛୁଟି ରହିବ।

ଛୁଟିର ତାଲିକାକୁ ଦେଖିଲେ, ମାସର ପ୍ରଥମ ସପ୍ତାହରୁ ହିଁ ବ୍ୟାଙ୍କ ସେବା ବନ୍ଦ ରହିବା ଆରମ୍ଭ ହେବ। ମାର୍ଚ୍ଚ ୧ ତାରିଖ ରବିବାର ହୋଇଥିବା ବେଳେ, ମାର୍ଚ୍ଚ ୨, ୩ ଏବଂ ୪ ତାରିଖରେ ହୋଲି ଏବଂ ବିଭିନ୍ନ ପର୍ବାଣି ପାଇଁ ଅନେକ ରାଜ୍ୟରେ ବ୍ୟାଙ୍କ୍ ଲଗାତାର ଛୁଟି ରହିବ। ସେହିପରି ଦ୍ୱିତୀୟ ସପ୍ତାହରେ ମାର୍ଚ୍ଚ ୮ ରବିବାର, ମାର୍ଚ୍ଚ ୧୪ ଦ୍ୱିତୀୟ ଶନିବାର ଏବଂ ମାର୍ଚ୍ଚ ୧୫ ରବିବାର ପଡ଼ୁଥିବାରୁ ଗ୍ରାହକମାନେ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେବେ।

ମାସର ତୃତୀୟ ସପ୍ତାହରେ ସବୁଠାରୁ ବଡ଼ ଛୁଟି ଦେଖିବାକୁ ମିଳିବ। ମାର୍ଚ୍ଚ ୧୯ରେ ଗୁଡ଼ି ପାଡୱା ଓ ଉଗାଦି, ମାର୍ଚ୍ଚ ୨୦ରେ ଶବ୍-ଏ-ବରାତ ଏବଂ ମାର୍ଚ୍ଚ ୨୧ରେ ଇଦ୍-ଉଲ୍-ଫିତର ପାଇଁ ଲଗାତାର ଛୁଟି ରହିଛି। ଏହାପରେ ମାର୍ଚ୍ଚ ୨୨ ପୁଣି ଏକ ରବିବାର ପଡ଼ୁଛି। ମାସର ଶେଷ ସପ୍ତାହରେ ମଧ୍ୟ ସମାନ ସ୍ଥିତି ରହିବ। ମାର୍ଚ୍ଚ ୨୬ ଓ ୨୭ରେ ରାମ ନବମୀ ଉତ୍ସବ ପାଇଁ ଛୁଟି ଥିବା ବେଳେ ମାର୍ଚ୍ଚ ୨୮ ଚତୁର୍ଥ ଶନିବାର, ମାର୍ଚ୍ଚ ୨୯ ରବିବାର ଏବଂ ମାର୍ଚ୍ଚ ୩୧ରେ ମହାବୀର ଜୟନ୍ତୀ ପାଇଁ ବ୍ୟାଙ୍କ ସେବା ବନ୍ଦ ରହିବ।

ତେବେ ଏଠାରେ ମନେ ରଖିବା ଜରୁରୀ ଯେ, ଏହି ସବୁ ଛୁଟି ସାରା ଦେଶ ପାଇଁ ସମାନ ନୁହେଁ। ଆରବିଆଇ (RBI) ର ନିୟମ ଅନୁଯାୟୀ, କିଛି ଛୁଟି ଆଞ୍ଚଳିକ ପର୍ବ ଉପରେ ଆଧାରିତ। ଉଦାହରଣ ସ୍ୱରୂପ, ଗୁଡ଼ି ପାଡୱା ମହାରାଷ୍ଟ୍ରରେ ପାଳନ କରାଯାଉଥିବା ବେଳେ ଉଗାଦି ଦକ୍ଷିଣ ଭାରତର କିଛି ରାଜ୍ୟରେ ପାଳନ କରାଯାଏ। ତେଣୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଗ୍ରାହକମାନେ ନିଜର ଆଞ୍ଚଳିକ ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରିବା ଆବଶ୍ୟକ।

ବଡ଼କଥା ହେଉଛି ବ୍ୟାଙ୍କ ଶାଖା ବନ୍ଦ ରହିଲେ ବି ଡିଜିଟାଲ୍ ସେବା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଗ୍ରାହକମାନେ ଟଙ୍କା ପଠାଇବା ପାଇଁ Google Pay, PhonePe କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରିପାରିବେ। ଟଙ୍କା ଉଠାଣ ପାଇଁ ATM ସେବା ଜାରି ରହିବ, କିନ୍ତୁ ଲଗାତାର ଛୁଟି ଯୋଗୁଁ କ୍ୟାସ୍ ସରିଯିବାର ସମ୍ଭାବନା ଥିବାରୁ ସତର୍କ ରହିବା ଉଚିତ୍। ଚେକ୍ କ୍ଲିୟରାନ୍ସ ପାଇଁ ଅଧିକ ସମୟ ଲାଗିପାରେ, ତେଣୁ ଜରୁରୀ ନେଣଦେଣକୁ ଛୁଟି ପୂର୍ବରୁ ସାରିବାକୁ ପରାମର୍ଶ ଦିଆଯାଇଛି। ଶେଷ ମୁହୂର୍ତ୍ତରେ ହଇରାଣ ନହେବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ।

Related Articles

Back to top button