ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ବିଜେଡିରୁ ଟିକେଟ୍


ଭୁବନେଶ୍ୱର: ୨ ଜଣଙ୍କ ନାଁ ଘୋଷଣା କଲା ବିଜୁ ଜନତା ଦଳ। ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ରାଜ୍ୟସଭା ଟିକେଟ୍ । ରାଜ୍ୟସଭା ପ୍ରାର୍ଥୀ ପାଇଁ ଏହି ଦୁଇ ଜଣଙ୍କୁ ଚୟନ କଲେ ନବୀନ ପଟ୍ଟନାୟକ । ତେବେ ଏହି ଦୁଇ ଜଣଙ୍କ ନାଁ ଆଗରୁ ଚର୍ଚ୍ଚା ହେଉଥିଲା । ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ରାଜନୀତି ମାହୋଲ ପୁରା ଗରମ ରହିଛି । କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ଠାରେ ଥିଲା ଉତ୍କଣ୍ଠା । ଏସବୁ ଭିତରେ ନବୀନ ନିବାସରେ ପ୍ରାର୍ଥୀ ନେଇ ଚାଲି ଥିଲା ଅଙ୍କକଷା । ଏହିକ୍ରମରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତୃତୀୟ ଆସନ ପାଇଁ ବିଜେଡିର ବରିଷ୍ଠ ନେତା ତଥା କଟକ ଲୋକସଭା ଆସନରୁ ସଂସଦ ପ୍ରାର୍ଥୀ ହୋଇଥିବା ସଂତୃପ୍ତ ମିଶ୍ରଙ୍କୁ ବାଛିଛନ୍ତି । ବାକି ୪ର୍ଥ ସିଟ୍ ଲାଗି ଡଃ. ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି । ଏହାସହିତ ସମସ୍ତ ଦଳଙ୍କୁ ଡଃ. ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । ପ୍ରାର୍ଥୀ ଘୋଷଣା ସମୟରେ ନବୀନ କହିଛନ୍ତି ଯେ, ସଂତୃପ୍ତ ଆମ ଦଳର ପ୍ରାର୍ଥୀ ଏବଂ ଡା ଦତ୍ତେଶ୍ଵର ହୋତା କମନ୍ କ୍ୟାଣ୍ଡିଡେଟ୍। ସଂତୃପ୍ତ ମିଶ୍ର ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଅଛନ୍ତି । ଗତ ସାଧାରଣ ନିର୍ବାଚନରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ହୋଇଥିଲେ ସଂତୃପ। ସେହିପରି ଓଡ଼ିଆ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଛନ୍ତି ଡାକ୍ତର ଦତ୍ତେଶ୍ଵର ହୋତା। ସେ ୟୁରୋଲୋଜି ବିଭାଗରେ କ୍ୟାପିଟାଲ ହସ୍ପିଟାଲରେ ଥିଲେ ଏବଂ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା ଡାକ୍ତର ଟିମର ମୁଖ୍ୟ ଥିଲେ।




