ଅନ୍ତର୍ଜାତୀୟ

ଇସ୍ରାଏଲରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି

ଜାରି ହେଲା ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର

ଇସ୍ରାଏଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗି ରହିଥିବା ଅଶାନ୍ତ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଏକ ଜରୁରୀକାଳୀନ ଆଡଭାଇଜରି ଜାରି କରିଛନ୍ତି। ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀରେ ସମସ୍ତ ଭାରତୀୟଙ୍କୁ ସତର୍କ ଏବଂ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।୨୮ ଫେବୃଆରୀ ୨୦୨୬ରେ ଦୂତାବାସ ପକ୍ଷରୁ ଏହି ସ୍ପଷ୍ଟ ସୂଚନା ଦିଆଯାଇଛି।

ଭାରତୀୟ ଦୂତାବାସ ସମସ୍ତ ନାଗରିକଙ୍କୁ ଇସ୍ରାଏଲ ସରକାର ଏବଂ ସେଠାକାର ‘ହୋମ୍ ଫ୍ରଣ୍ଟ କମାଣ୍ଡ’ ପକ୍ଷରୁ ଜାରି ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୁଦ୍ଧକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତିଟି ଭାରତୀୟଙ୍କୁ ସେମାନଙ୍କ ରହୁଥିବା ସ୍ଥାନ ବା କାର୍ଯ୍ୟକ୍ଷେତ୍ର ନିକଟରେ ଥିବା ‘ସୁରକ୍ଷିତ ଆଶ୍ରୟସ୍ଥଳ’ ସମ୍ପର୍କରେ ଜାଣି ରଖିବାକୁ କୁହାଯାଇଛି। ସାଇରନ୍ ବାଜିବା ମାତ୍ରେ ଯୁଦ୍ଧକାଳୀନ ଭିତ୍ତିରେ ସେହି ଆଶ୍ରୟସ୍ଥଳକୁ ଯିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଭାରତୀୟଙ୍କୁ ଇସ୍ରାଏଲ ମଧ୍ୟରେ କୌଣସି ଅନାବଶ୍ୟକ ଯାତ୍ରା ନକରିବାକୁ ବାରଣ କରାଯାଇଛି। ସ୍ଥାନୀୟ ଖବର, ସରକାରୀ ଘୋଷଣା ଏବଂ ଜରୁରୀକାଳୀନ ଆଲର୍ଟ ଉପରେ ନଜର ରଖିବା ସହ ଦୂତାବାସ ସହିତ ନିୟମିତ ଯୋଗାଯୋଗରେ ରହିବାକୁ କୁହାଯାଇଛି। ସୂଚନା ପାଇଁ ସରକାରୀ ୱେବସାଇଟ୍ (www.oref.org.il/eng) ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ସମୟ ଅନୁଯାୟୀ ନୂତନ ସୂଚନା ଉପଲବ୍ଧ ହେବ।

ଯଦି କୌଣସି ଭାରତୀୟ ନାଗରିକ ଜରୁରୀକାଳୀନ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଏଥିପାଇଁ +972-54-7520711 ନମ୍ବରରେ ୨୪ ଘଣ୍ଟିଆ ହେଲ୍ପଲାଇନ୍ ସୁବିଧା ଯୋଗାଇ ଦିଆଯାଇଛି। ଏଥିସହ cons1.telaviv@mea.gov.in ମାଧ୍ୟମରେ ଇମେଲ୍ କରି ମଧ୍ୟ ସହାୟତା ମଗାଯାଇପାରିବ। ଭାରତୀୟ ଦୂତାବାସ ସେଠାକାର ସରକାରଙ୍କ ସହ ନିରନ୍ତର ସମ୍ପର୍କରେ ଅଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ଅଧିକ ପଦକ୍ଷେପ ଗ୍ରହଣ କରାଯିବ।

Related Articles

Back to top button