
ଭୁବନେଶ୍ୱର,୦୫/୦୩/୨୦୨୬: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଥିବା ବେଳେ ରାଜ୍ୟ ରାଜନୀତିର ଏକ ନୂଆ ମୋଡ଼ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବାକୁ ଥିବା ବରିଷ୍ଠ ନେତା ଦିଲ୍ଲୀପ ରାୟ ଅରବିନ୍ଦ ମହାପାତ୍ରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ସମ୍ପର୍କରେ ନିଜେ ଅରବିନ୍ଦ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦିଲ୍ଲୀପ ରାୟଙ୍କୁ ଜଣେ ଅତ୍ୟନ୍ତ ଅନୁଭବୀ ନେତା କହିଛନ୍ତି ଅରବିନ୍ଦ ମହାପାତ୍ର ।
ଏହି ଅବସରରେ ଅରବିନ୍ଦ ମହାପାତ୍ର ନିଜର ଆଗାମୀ ପଦକ୍ଷେପକୁ ନେଇ ସସପେନ୍ସ ବଜାୟ ରଖିଛନ୍ତି। ସେ କହିଛନ୍ତି ଯେ, ସଠିକ ସମୟରେ ସେ ନିଜର ନିଷ୍ପତ୍ତି ନେବେ। ବିଜେଡିର ନିର୍ଦ୍ଦେଶ ମାନିବେ ନା ନିଜ ବିବେକ ବା ମନର କଥା ଶୁଣିବେ, ସେ ନେଇ ଏବେ ମଧ୍ୟ ଚିନ୍ତା ଜାରି ରହିଛି। ବର୍ତ୍ତମାନ ମଇଦାନରେ ୫ ଜଣ ପ୍ରାର୍ଥୀ ଥିବା ବେଳେ ଆଗକୁ ଏହି ସଂଖ୍ୟା ୪ କୁ ମଧ୍ୟ ଖସିପାରେ ବୋଲି ସେ ଏକ ବଡ଼ ସଙ୍କେତ ଦେଇଛନ୍ତି।
ରାଜ୍ୟସଭା ନିର୍ବାଚନର ଫଳାଫଳକୁ ନେଇ ପ୍ରତିକ୍ରିୟା ରଖି ଅରବିନ୍ଦ କହିଛନ୍ତି ଯେ, ଶେଷ ମହୂର୍ତ୍ତରେ ଫଳାଫଳ କିଛି ବି ହୋଇପାରେ। ରାଜନୈତିକ ସମୀକରଣ ଯେକୌଣସି ଆଡ଼କୁ ମୋଡ଼ ନେଇପାରେ ବୋଲି ତାଙ୍କର ଏହି ବୟାନ ପରେ ଏବେ ସବୁ ଦଳର ଶିବିରରେ ଚର୍ଚ୍ଚା ଜୋର ଧରିଛି।




