
ମାଲକାନଗିରି, ୦୭/୦୩/୨୦୨୬: ବିଶ୍ୱବ୍ୟାପୀ ଲାଗିରହିଥିବା ଯୁଦ୍ଧ ସଙ୍କଟ ମଧ୍ୟରେ ତେଲ ସରିଯିବା ନେଇ ଏକ ଗୁଜବ ଏବେ ମାଲକାନଗିରି ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି। ଗତକାଲି ରାତିରୁ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ଗ୍ରାହକମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଲୋକମାନେ ନିଜ ଗାଡ଼ିର ଟାଙ୍କି ଫୁଲ୍ କରିବା ସହିତ ବଡ଼ ବଡ଼ ବ୍ୟାରେଲ୍ ଓ ଜାରକିନ୍ରେ ତେଲ ବୋହି ନେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଆଗାମୀ ଦିନରେ ତୈଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ଖବର ପ୍ରସାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ମାଲକାନଗିରି ସହରଠାରୁ ଆରମ୍ଭ କରି ବାଲିମେଳା ଓ କାଲିମେଳା ପର୍ଯ୍ୟନ୍ତ ପ୍ରତିଟି ପେଟ୍ରୋଲ ପମ୍ପ ଆଗରେ କିଲୋମିଟର ବ୍ୟାପୀ ଲମ୍ବା ଲାଇନ୍ ଲାଗିରହିଛି।
ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଯୋଗାଣ ବିଭାଗ ତୁରନ୍ତ ହସ୍ତକ୍ଷେପ କରିଛି। ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜିଲ୍ଲାରେ ତୈଳ ମହଜୁଦ ଯଥେଷ୍ଟ ପରିମାଣରେ ରହିଛି ଏବଂ ଗୁଜବରେ ବିଶ୍ୱାସ ନକରିବାକୁ ଅନୁରୋଧ କରାଯାଇଛି। କଳାବଜାରୀ ରୋକିବା ପାଇଁ ଏବେ ନୂଆ କଟକଣା ଲାଗୁ କରାଯାଇଛି। ଜଣେ ଗ୍ରାହକଙ୍କୁ ମାତ୍ର ୨୦୦ ଟଙ୍କାର ପେଟ୍ରୋଲ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ବୋତଲ କିମ୍ବା ବ୍ୟାରେଲ୍ରେ ତେଲ ଦେବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି।




