ଓଡ଼ିଶା

ଓଡ଼ିଶାକୁ ରେଳ ମନ୍ତ୍ରଣାଳୟର ବଡ଼ ଭେଟି: ଚାଲିବ ନୂଆ ‘ଅମୃତ ଭାରତ’ ଟ୍ରେନ, ନିୟମିତ ହେଲା ଧାନବାଦ୍ ଓ ପାଟନା ସେବା

ଭୁବନେଶ୍ୱର, ୧୨ ମାର୍ଚ୍ଚ ୨୦୨୬: ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ଦେଇ ଆସାମ ଏବଂ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂତନ ‘ଅମୃତ ଭାରତ’ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ମିଳିଛି। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସୂଚନା ଦେଇଛନ୍ତି।

ଏହି ନୂତନ ଅମୃତ ଭାରତ ଟ୍ରେନ ଆସାମର କାମାକ୍ଷା ଏବଂ ତେଲେଙ୍ଗାନାର ଚାରଲାପାଲି (ସିକନ୍ଦରାବାଦ) ମଧ୍ୟରେ ଚାଲିବ। ଏହି ଟ୍ରେନଟି ଓଡ଼ିଶାର ପ୍ରମୁଖ ଷ୍ଟେସନ ଯେମିତିକି ବାଲେଶ୍ୱର, ଭଦ୍ରକ, ଯାଜପୁର କେଉଁଝର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବାଲୁଗାଁ ଏବଂ ବ୍ରହ୍ମପୁର ଦେଇ ଗତି କରିବ। ଏହାଦ୍ୱାରା ଓଡ଼ିଶାରୁ ଦକ୍ଷିଣ ଏବଂ ଉତ୍ତର-ପୂର୍ବ ଭାରତକୁ ଯାତ୍ରା କରୁଥିବା ଯାତ୍ରୀମାନେ ବିଶେଷ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ପୂର୍ବରୁ ଚାଲୁଥିବା ଦୁଇଟି ସ୍ପେଶାଲ୍ ଟ୍ରେନକୁ ଏବେ ନିୟମିତ (Regularisation) କରିବାକୁ ନିଷ୍ପତ୍ତି ନିଆଯାଇଛି:
୧. ଭୁବନେଶ୍ୱର-ଧାନବାଦ୍ (18403/18404): ଏହି ଟ୍ରେନଟି କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୋଳ, ରେଢାଖୋଲ, ସମ୍ବଲପୁର, ଝାରସୁଗୁଡା ଏବଂ ରାଉରକେଲା ଦେଇ ଧାନବାଦ୍ ଯିବ।
୨. ପୁରୀ-ପାଟନା (08439/08440): ଏହି ଟ୍ରେନଟି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ ଏବଂ ବାଲେଶ୍ୱର ଦେଇ ପାଟନା ଯିବ।

ଓଡ଼ିଶାର ଜନସାଧାରଣଙ୍କ ଦୀର୍ଘଦିନର ଦାବିକୁ ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଏହି ନିଷ୍ପତ୍ତି ଏକ ମାଇଲଖୁଣ୍ଟ ସାଜିବ ବୋଲି ସେ କହିଛନ୍ତି।

Related Articles

Back to top button