ଇରାନକୁ ଟ୍ରମ୍ପଙ୍କ ଖୋଲା ଚେତାବନୀ

ୱାଶିଂଟନ୍/ତେହେରାନ, ୧୪ ମାର୍ଚ୍ଚ ୨୦୨୬: ପଶ୍ଚିମ ଏସିଆରେ ଚାଲିଥିବା ଭୟଙ୍କର ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି, ଯେଉଁଠାରେ ଆମେରିକା ଇରାନ ବିରୋଧରେ ଅତ୍ୟନ୍ତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଯୁଦ୍ଧର ୧୬ ଦିନ ବିତିଯାଇଥିଲେ ମଧ୍ୟ ସ୍ଥିତି ଶାନ୍ତ ହେବା ପରିବର୍ତ୍ତେ ଆହୁରି ଉଗ୍ର ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ମାଧ୍ୟମରେ ଇରାନକୁ ଖୋଲା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଇରାନ ତୁରନ୍ତ ଆତ୍ମସମର୍ପଣ ନକରେ, ତେବେ ପୃଥିବୀ ମାନଚିତ୍ରରୁ ଇରାନର ସବୁ ଚିହ୍ନବର୍ଣ୍ଣ ମିଶାଇ ଦିଆଯିବ। ଟ୍ରମ୍ପଙ୍କ ଏହି ବୟାନ ପରେ ସାରା ବିଶ୍ୱରେ ଏବେ ହଇଚଇ ସୃଷ୍ଟି ହୋଇଛି।
ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଇରାନର ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ଖାରଗ୍ ଦ୍ୱୀପ ଉପରେ ଏକ ବଡ଼ ଧରଣର ସାମରିକ ଆକ୍ରମଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଏହି ଖାରଗ୍ ଦ୍ୱୀପ ଇରାନର ସବୁଠାରୁ ବଡ଼ ତୈଳ ଭଣ୍ଡାର ଓ ରପ୍ତାନି କେନ୍ଦ୍ର ଭାବେ ଜଣାଶୁଣା। ଆମେରିକା ଏହି ଦ୍ୱୀପକୁ ଟାର୍ଗେଟ କରିବା ପରେ ଇରାନର ଅଶୋଧିତ ତୈଳ ଯୋଗାଣ କ୍ଷମତା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଇରାନକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ଆମେରିକା ଏଭଳି ରଣନୀତି ଆପଣେଇଥିବା ବେଳେ ଏହା ଇରାନ ଉପରେ ନିର୍ଭର କରୁଥିବା ଅନ୍ୟ ଦେଶଗୁଡ଼ିକ ପାଇଁ ମଧ୍ୟ ସମସ୍ୟା ବଢ଼ାଇ ଦେଇଛି।
ଏହି ଯୁଦ୍ଧର ପ୍ରଭାବ ଏବେ ବିଶ୍ୱ ବଜାର ଉପରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲାଣି। ବିଶେଷ କରି ତୈଳ ଏବଂ ଇନ୍ଧନ ଗ୍ୟାସର ପ୍ରବଳ ସଙ୍କଟ ସୃଷ୍ଟି ହେବା ଯୋଗୁଁ ବିଶ୍ୱ ଅର୍ଥନୀତି ଉପରେ ଚାପ ପଡ଼ିଛି। ଭାରତରେ ଏହାର ପରିଣାମ ଅତ୍ୟନ୍ତ ଗୁରୁତର ହୋଇଛି, ଯେଉଁଠାରେ ରନ୍ଧନ ଗ୍ୟାସର ଘୋର ଅଭାବ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ବଡ଼ ବଡ଼ ହୋଟେଲଠାରୁ ଆରମ୍ଭ କରି ଗଳି କନ୍ଦିରେ ଥିବା ଛୋଟ ଛୋଟ ଜଳଖିଆ ଦୋକାନ ପର୍ଯ୍ୟନ୍ତ ସବୁ ବନ୍ଦ ହେବାରେ ଲାଗିଛି, ଯାହା ସାଧାରଣ ଖାଉଟିଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି।
ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ମନେହେଉଛି ଯେ ଆମେରିକା ଏହି ଯୁଦ୍ଧକୁ ଖୁବଶୀଘ୍ର ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବାକୁ ଯୋଜନା କରୁଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ‘ବଡ଼ ଧମାକା’ କରିବା ଚେତାବନୀ ପରେ ସାରା ବିଶ୍ୱର ନଜର ଏବେ ପରବର୍ତ୍ତୀ ସାମରିକ ପଦକ୍ଷେପ ଉପରେ ରହିଛି। ଯଦି ଯୁଦ୍ଧ ଏଭଳି ଭାବେ ଉଗ୍ର ରୂପ ଧାରଣ କରେ, ତେବେ ଏହା କେବଳ ଇରାନ ପାଇଁ କ୍ଷତିକାରକ ହେବ ନାହିଁ, ବରଂ ସମଗ୍ର ବିଶ୍ୱର ଶକ୍ତି ବଜାର ଏବଂ ଶାନ୍ତି ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ଭାବେ ବିପନ୍ନ କରିଦେବ।




