ରାଜ୍ୟରୁ ହଟିବେ ଶିଶୁ ଭିକ୍ଷକ – Bastabbadi


ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏନେଇ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଜିଲ୍ଲାପାଳ, ପୋଲିସ ଅଧିକ୍ଷକ ଏବଂ ପୌରପାଳିକା କମିଶନରଙ୍କୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଶିଶୁ ଭିକ୍ଷାବୃତ୍ତିର ସମ୍ପୂର୍ଣ୍ଣ ଉନ୍ମୂଳନ ପାଇଁ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ‘ଜିଲ୍ଲା ଟାସ୍କ ଫୋର୍ସ’ ଗଠନ କରାଯିବ । ଏହି ଟିମ୍ରେ ପୋଲିସ ଅଧିକ୍ଷକ, ପୌର କମିଶନର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶ୍ରମ ଅଧିକାରୀ ପ୍ରମୁଖ ସଦସ୍ୟ ରହିବେ । ଏହି ଟାସ୍କ ଫୋର୍ସ ନିୟମିତ ଭାବେ ଚଢ଼ାଉ କରି ଭିକ୍ଷାବୃତ୍ତିରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର ଥଇଥାନ ପାଇଁ ବ୍ୟବସ୍ଥା କରିବେ । ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ତୁରନ୍ତ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇ ସେମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯିବ । ସେଠାରେ ସେମାନଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କାଉନସେଲିଂ ପ୍ରଦାନ କରାଯିବ ।ଯେଉଁ ବ୍ୟକ୍ତି ବା ଗୋଷ୍ଠୀ ଶିଶୁମାନଙ୍କୁ ଜବରଦସ୍ତି ଭିକ୍ଷାବୃତ୍ତିରେ ନିୟୋଜିତ କରୁଛନ୍ତି, ସେହିଭଳି ଦଲାଲଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।




