ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ


ଭୁବନେଶ୍ବର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର କ୍ଲର୍କ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର । ବକେୟା ଦରମା ପାଇଁ ବିଲ୍ ପ୍ରସ୍ତୁତ କରିବା ପାଇଁ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଏହାସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ଦୁଇଟି ସ୍ଥାନରେ ଏକକାଳୀ ଯାଞ୍ଚ କରୁଛି । ସୂଚନା ଅନୁସାରେ, ବରପାଲି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ବକେୟା ଦରମା ବିଲ୍ ପ୍ରସ୍ତୁତ କରିବା ପାଇଁ, ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ତାଙ୍କୁ ଲାଞ୍ଚ ମାଗୁଥିଲେ । ଅଧିକାରୀ ଜଣଙ୍କ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ, ରଜନୀକାନ୍ତ କୌଣସି ପଦକ୍ଷେପ ନେଉ ନଥିଲେ । ବରଂ, ତାଙ୍କ ଠାରୁ ବକେୟା ଦରମା ବିଲ୍ କରିଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏନେଇ ଅଧିକାରୀ ଜଣଙ୍କ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭିଜିଲାନ୍ସ ଟିମ୍ ଏକ ଜାଲ ବିଛାଇ ଛକି ରହିଥିଲା । ରଜନୀକାନ୍ତ, ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ୬ ହଜାର ଟଙ୍କା ଜବତ କରିଛନ୍ତି ।




