ଓଡ଼ିଶାରାଜନୀତି

ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି :ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୧୭ ମାର୍ଚ୍ଚ ୨୦୨୬: କଟକ ଏସସିବି ମେଡିକାଲରେ ଘଟିଥିବା ମର୍ମନ୍ତୁଦ ଅଗ୍ନିକାଣ୍ଡ ପ୍ରସଙ୍ଗ ଆଜି ବିଧାନସଭାରେ ହଟ୍ଟଗୋଳ ହୋଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣା ପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ନବୀନ ପୁରୁଣା ଘଟଣାର ଉଦାହରଣ ଦେଇ କହିଛନ୍ତି ଯେ, ପୂର୍ବରୁ ବିଜେଡି ସରକାର ସମୟରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ତେଣୁ ଏହି ବଡ଼ ବିପର୍ଯ୍ୟୟ ପାଇଁ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ସେ ଦୃଢ଼ ଦାବି କରିଛନ୍ତି।

ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଏସସିବି ଅଗ୍ନିକାଣ୍ଡକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ଗୃହରେ ପ୍ରଶ୍ନକାଳ ଚାଲିଥିବା ବେଳେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି ହେବାରୁ ସ୍ଥିତି ଅଣାୟତ୍ତ ହୋଇଥିଲା। ଫଳରେ ବାଚସ୍ପତି ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଅପରାହ୍ନ ଅଧିବେଶନରେ ଇସ୍ପାତ, ଖଣି ଓ ପରିବହନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବା ସମୟରେ ସ୍ପଷ୍ଟ କରିଛନ୍ତି ଯେ, ଏସସିବି ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ଏବେ ୧୨କୁ ବୃଦ୍ଧି ପାଇଛି। ଚିକିତ୍ସିତ ହେଉଥିବା ଆଉ କିଛି ରୋଗୀଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ସରକାର ସ୍ଥିତି ଉପରେ ନଜର ରଖିବା ସହ ଉଚ୍ଚସ୍ତରୀୟ ତଦନ୍ତ ଜାରି ରଖିଥିଲେ ମଧ୍ୟ ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଶାସକ ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିଛି।

 

 

 

Related Articles

Back to top button