
ଭୁବନେଶ୍ୱର,୧୯/୦୨/୨୦୨୬ : ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜି ଠାରୁ (ଗୁରୁବାର) ଆରମ୍ଭ ହୋଇଛି । ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ସକାଳ ୯ ଟାରୁ ଆରମ୍ଭ ହୋଇ ସାଢେ ୧୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମୋଟ ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀ ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ପ୍ରଥମ ଦିନରେ ମାତୃଭାଷା ଓଡ଼ିଆ ବିଷୟରେ ପରୀକ୍ଷା ହେଉଛନ୍ତି ପରୀକ୍ଷାର୍ଥୀ ।ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାବା ଏସଓଏସ୍ ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷା ଏକ ସମୟରେ କରାଯାଉଛି । ନୋଡାଲ୍ ସେଣ୍ଟରରେ ଥିବା ପ୍ରଶ୍ନପତ୍ର କଡ଼ା ସୁରକ୍ଷା ଭିତରେ ସକାଳ ୮ଟା ୩୦ ମିନିଟ୍ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚା ଯାଇଥିଲା ।
ସମସ୍ତ ପରୀକ୍ଷା କେନ୍ଦ୍ର ସିସିଟିଭି ନଜରରେ ରହିଛି । ପରୀକ୍ଷା ପରିଚାଳନା ସମୟରେ ସିଧାପ୍ରସାରଣ ହେବାର ଥିବାରୁ ପରୀକ୍ଷା ନିରୀକ୍ଷକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏଥିଲାଗି ବୋର୍ଡରେ ଏକ କମାଣ୍ଡ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି ।
ପରୀକ୍ଷା ହଲ୍ ଭିତରକୁ କୌଣସି ପରୀକ୍ଷା ନିରୀକ୍ଷକ କିମ୍ବା କର୍ମଚାରୀଙ୍କ ମୋବାଇଲ୍ ବ୍ୟବହାର ସମ୍ପୂର୍ଣ୍ଣ ବାରଣ ରହିଛି । ପରୀକ୍ଷା ନିରୀକ୍ଷକ ହଲରେ ମୋବାଇଲ୍ ରଖିଥିବା ଜଣାପଡ଼ିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅବଗତ କରାଯାଇଛି ।
ଏଥର ରାଜ୍ୟରେ ୩ ହଜାର ୯୯୯ ଭିନ୍ନକ୍ଷମ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଉଥିବା ସୂଚନା ମିଳିଛି । ସମ୍ପୃକ୍ତ ପରୀକ୍ଷାର୍ଥୀମାନେ ତଳ ମହଲାରେ ସୁବିଧାରେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମ ପରୀକ୍ଷାର୍ଥୀମାନଙ୍କୁ ପ୍ରତି ପରୀକ୍ଷାରେ ଅଧିକ ୫୦ ମିନିଟ୍ ସମୟ ଦିଆଯିବ । ଗଣିତ ପରୀକ୍ଷାରେ ଅତିରିକ୍ତ ୫୫ ମିନିଟ୍ ସମୟ ଧାର୍ଯ୍ୟ ରହିଛି ।
କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରାଯାଇଛି । ଜିଲ୍ଲା ସ୍ତରରେ ଡିଇଓମାନଙ୍କ ଦ୍ୱାରା ୭୨ଟି ସ୍କ୍ୱାଡ୍ ଗଠନ କରାଯାଇଥିବା ସୂଚନା ମିଳିଛି । ୧୨ ହଜାର ୪୧୪ ଜଣ ପ୍ରାର୍ଥୀ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍(ଏସ୍ଓଏସ୍ସି) ପରୀକ୍ଷା ଓ ୨ ହଜାର ୭୪୮ ପ୍ରାର୍ଥୀ ମଧ୍ୟମା ପରୀକ୍ଷା ଦେଉଛନ୍ତି।



