ବାଣ ବିସ୍ଫୋରଣ ଘଟଣାରେ ୨ ମହିଳା ଓ ଜଣେ ଶିଶୁ ମୃତ


ଭୁବନେଶ୍ବର: କଟକ ଜଗତପୁର ଥାନା ଅନ୍ତର୍ଗତ ମହାଜନପୁରରେ ବାଣ ବିସ୍ପୋରଣ ଘଟଣାରେ ୩ ଜଣଙ୍କର ମୃତୁ ଘଟିଛି । ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ ଜଣେ ଶିଶୁ କନ୍ୟା ଗୁରୁତର ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ, ଚିକିତ୍ସାଧିନ ଅବସ୍ଥାରେ 3 ଜଣଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସନ୍ଧ୍ୟାରେ ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଏକ ବଡ଼ ଧରଣର ବାଣ ବିସ୍ପୋରଣ ଘଟିଥିଲା । ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟି ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଥିଲେ ।ଖବର ପାଇ ଜଗତପୁର ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସ୍ୱତନ୍ତ୍ର ଆମ୍ବଲାନ୍ସ ଦ୍ବାରା ଏସସିବି କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା । ତେବେ ସମସ୍ତଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଶିଶୁ କନ୍ୟାକୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରରେ ସମସ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ତିନି ଜଣ ହେଲେ ମାଆ ସୁଧାଂଶୁବାଳା ନାୟକ, କୁନି ଝିଅ ସ୍ଥିତପ୍ରଜ୍ଞା ନାୟକ ଓ ଜେଜେ ମାଆ ପ୍ରଭାତୀ ନାୟକ ।ସେପଟେ କେଉଁ ପରିସ୍ଥିତିରେ ଏଭଳି ଏକ ଅଘଟଣ ଘଟିଲା ପୋଲିସ ଛାନଭିନ ଆରମ୍ଭ କରିଛି ।




