ଭାରତ ଠାରୁ ତେଲ କିଣିବ ଆମେରିକା

ନୂଆଦିଲ୍ଲୀ/ୱାଶିଂଟନ, ୦୭ ମାର୍ଚ୍ଚ ୨୦୨୬: ବିଶ୍ୱ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯେଉଁ ଆମେରିକା ଦିନେ ରୁଷିଆଠାରୁ ତେଲ କିଣିବାକୁ ନେଇ ଭାରତ ଉପରେ କଟକଣା ଓ ଟାରିଫ୍ ବଢ଼ାଇବାକୁ ଧମକ ଦେଉଥିଲା, ଆଜି ସେହି ଆମେରିକା ତୈଳ ସଙ୍କଟରୁ ରକ୍ଷା ପାଇବା ପାଇଁ ଭାରତ ଆଗରେ ସହାୟତାର ହାତ ବଢ଼ାଇଛି। ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଓ ନିଜ ଦେଶର ଖାଲି ପଡ଼ିଥିବା ତୈଳ ଭଣ୍ଡାର ଯୋଗୁଁ ଆମେରିକା ଏବେ ଅଡୁଆରେ ପଡ଼ିଛି।
ଆମେରିକାର ଶକ୍ତି ସଚିବ କ୍ରିସ୍ ରାଇଟ୍ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇ କହିଛନ୍ତି ଯେ, ସେମାନେ ନିଜ ଦେଶରେ ତେଲ ଦର ସ୍ଥିର ରଖିବାକୁ ଭାରତ ସହ ସିଧାସଳଖ ଯୋଗାଯୋଗ କରିଛନ୍ତି। ରୁଷିଆଠାରୁ ଭାରତ କ୍ରୟ କରିଥିବା ଅଶୋଧିତ ତୈଳକୁ ଆମେରିକା କିଣିବାକୁ ଅନୁରୋଧ କରିଛି। ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଟାରିଫ୍ ବୃଦ୍ଧି କରିଥିଲେ ମଧ୍ୟ, ଏବେକାର ସାମ୍ପ୍ରତିକ ସ୍ଥିତି ଆମେରିକାକୁ ନିଜ ଜିଦ୍ରୁ ଓହରିବାକୁ ବାଧ୍ୟ କରିଛି।
ଅନ୍ୟପଟେ ଭାରତ ନିଜର ମାନବିକତା ଓ ରଣନୈତିକ ସମ୍ପର୍କର ପରିଚୟ ଦେଇ ଇରାନକୁ ସହଯୋଗ କରିଛି। ଇରାନର ଯୁଦ୍ଧ ଜାହାଜ ‘IRIS LAVAN’ କେରଳର କୋଚି ବନ୍ଦରରେ ପହଞ୍ଚିଛି। ଗତ ଫେବୃଆରୀ ୨୮ ତାରିଖରେ ଇରାନ ପକ୍ଷରୁ ଆଶ୍ରୟ ପାଇଁ ଆବେଦନ କରାଯାଇଥିବା ବେଳେ, ମାର୍ଚ୍ଚ ୧ ତାରିଖରେ ଭାରତ ସରକାର ଏହାକୁ ମଞ୍ଜୁରୀ ଦେଇଥିଲେ। ଏହି ଜାହାଜରେ ଥିବା ପ୍ରାୟ ୧୮୩ ଜଣ ସଦସ୍ୟଙ୍କୁ ଭାରତ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିଛି।
ଏହି ଘଟଣାକ୍ରମ ସ୍ପଷ୍ଟ କରୁଛି ଯେ, ବର୍ତ୍ତମାନର ଯୁଦ୍ଧ ଘନଘଟା ମଧ୍ୟରେ ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି କେନ୍ଦ୍ର ପାଲଟିଛି। ଆମେରିକା ଭଳି ଶକ୍ତିଶାଳୀ ଦେଶ ନିଜର ଆବଶ୍ୟକତା ପାଇଁ ଭାରତ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା ବେଳେ, ଇରାନ ମଧ୍ୟ ସଙ୍କଟ ସମୟରେ ଭାରତର ସହାୟତା ଲୋଡ଼ିଛି।




