ଇରାନ-ଆମେରିକା ଯୁଦ୍ଧର ଫାଇଦା ଉଠାଉଛି ଚାଇନା: ଆମେରିକା ଛାନିଆ

ବେଜିଂ/ତେହେରାନ, ୧୧/୦୩/୨୦୨୬: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ତୈଳ ସଙ୍କଟ ଦେଖାଦେଇଥିବା ବେଳେ, ଚାଇନା ଏହାର ଭରପୂର ଫାଇଦା ଉଠାଉଛି। ଇରାନ ଅନ୍ୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ‘ହରମୁଜ ପ୍ରଣାଳୀ’ ବନ୍ଦ କରିଥିଲେ ହେଁ, ଚାଇନାକୁ କିନ୍ତୁ ଗୁପ୍ତ ଭାବେ ଲକ୍ଷ ଲକ୍ଷ ବ୍ୟାରେଲ ଅଶୋଧିତ ତେଲ ପଠାଉଥିବା ଜଣାପଡ଼ିଛି। CNBC ଏବଂ ଟ୍ୟାଙ୍କର୍ ଟ୍ରାକରର ରିପୋର୍ଟ ଏହି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆଣିଛି।
ରିପୋର୍ଟ ଅନୁଯାୟୀ, ଗତ ଫେବୃଆରୀ ୨୮ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ଅତିକମରେ ୧୧.୭ ରୁ ୧୨ ନିୟୁତ ବ୍ୟାରେଲ ଅଶୋଧିତ ତେଲ ଚାଇନାକୁ ପଠାଇଛି। ଟ୍ୟାଙ୍କର୍ ଟ୍ରାକରର ସହ-ପ୍ରତିଷ୍ଠାତା ସମୀର ମଦନି କହିଛନ୍ତି ଯେ, ଅନେକ ଜାହାଜ ସେମାନଙ୍କର ଟ୍ରାକିଂ ସିଷ୍ଟମ ବନ୍ଦ କରି ଲୁଚି ଲୁଚି ଚାଇନା ଅଭିମୁଖେ ଯାଉଛନ୍ତି। ସାଟେଲାଇଟ୍ ଚିତ୍ର ସାହାଯ୍ୟରେ ଏହି ଜାହାଜଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଇଛି।
ହରମୁଜ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ, ଯାହା ଦେଇ ବିଶ୍ୱର ପ୍ରାୟ ୨୦-୨୫% ତେଲ ଏବଂ ପ୍ରତିଦିନ ପ୍ରାୟ ୨୦% LNG (ଗ୍ୟାସ) ପରିବହନ କରାଯାଏ। ଇରାନ ଏହି ପଥରେ ପ୍ରାୟ ୧୦ଟି ଜାହାଜ ଉପରେ ଆକ୍ରମଣ କରିବା ପରେ ଭାରତ ସମେତ ଅନେକ ଦେଶକୁ ତୈଳ ଯୋଗାଣ ଠପ୍ ହୋଇଯାଇଛି। ମାତ୍ର ଚାଇନା ପାଇଁ ଏହି ନିୟମ ଲାଗୁ ହେଉନଥିବା ଭଳି ମନେହେଉଛି।
ବିଶେଷଜ୍ଞଙ୍କ ମତରେ, ଇରାନ ଏବଂ ଚାଇନା ମଧ୍ୟରେ ପୂର୍ବରୁ ହୋଇଥିବା ରଣନୈତିକ ଚୁକ୍ତି ଯୋଗୁଁ ଯୁଦ୍ଧ ସତ୍ତ୍ୱେ ଯୋଗାଣ ଜାରି ରହିଛି। ଚାଇନା ହେଉଛି ଇରାନୀ ତେଲର ସବୁଠାରୁ ବଡ଼ କ୍ରେତା। ଇରାନ ଅନ୍ୟ ଦେଶକୁ ଧମକ ଦେଉଥିବା ବେଳେ ଚାଇନାକୁ ତେଲ ଯୋଗାଇ ନିଜର ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରୁଛି। ଜାହାଜଗୁଡ଼ିକ ନିଜର ଗନ୍ତବ୍ୟସ୍ଥଳ ଲୁଚାଉଥିବାରୁ ଏହି ଗୁପ୍ତ ବାଣିଜ୍ୟର ପ୍ରକୃତ ପରିମାଣ ଆହୁରି ଅଧିକ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।
ଏହି ଘଟଣା ଏବେ ଆମେରିକା ଏବଂ ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି, କାରଣ ଏହାଦ୍ୱାରା ଇରାନକୁ ପରୋକ୍ଷରେ ଆର୍ଥିକ ଶକ୍ତି ମିଳୁଛି।




