ଅନ୍ତର୍ଜାତୀୟଜାତୀୟଯୁଦ୍ଧ

ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ବିଦେଶୀ ନାଗରିକଙ୍କ ପାଇଁ ଭିସା ଅବଧି ବୃଦ୍ଧି

ନୂଆଦିଲ୍ଲୀ;୧୪/୦୩/୨୦୨୬:ପଶ୍ଚିମ ଏସିଆ ଏବଂ ଉପସାଗରୀୟ ଅଞ୍ଚଳରେ ଲାଗିରହିଥିବା ଯୁଦ୍ଧ ଓ ସାମରିକ ସଂଘର୍ଷ ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଗମ୍ଭୀର ଭାବେ ବାଧାପ୍ରାପ୍ତ ହୋଇଛି। ଏହି କାରଣରୁ ଅନେକ ବିଦେଶୀ ନାଗରିକ ନିଜ ଦେଶକୁ ଫେରିନପାରି ଭାରତରେ ଅଟକି ରହିଛନ୍ତି। ଏହି ସଙ୍କଟମୟ ସ୍ଥିତିକୁ ବିଚାରକୁ ନେଇ ଭାରତ ସରକାର ଏକ ମାନବିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ଯାହାଦ୍ୱାରା ଏହି ନାଗରିକମାନଙ୍କୁ ଆଇନଗତ ସହାୟତା ମିଳିପାରିବ।

ଦୁବାଇସ୍ଥିତ ଭାରତୀୟ ଦୂତାବାସରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ବିଦେଶୀ ନାଗରିକଙ୍କ ଭିସା କିମ୍ବା ଇ-ଭିସାର ଅବଧି ଖୁବଶୀଘ୍ର ଶେଷ ହେବାକୁ ଯାଉଛି, ସେମାନଙ୍କୁ ଆଉ ଏକ ମାସର ଅତିରିକ୍ତ ସମୟ ଦିଆଯିବ। ଏହି ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ। ଏହାଦ୍ୱାରା ବିମାନ ସେବା ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସେମାନେ ନିଶ୍ଚିନ୍ତରେ ଭାରତରେ ରହିପାରିବେ ଏବଂ ସେମାନଙ୍କୁ ଭିସା ପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ।

କେବଳ ସେତିକି ନୁହେଁ, ୨୮ ଫେବୃଆରୀ ୨୦୨୬ ପରଠାରୁ ଯୁଦ୍ଧ ସ୍ଥିତି ଯୋଗୁଁ ଯଦି କେହି ଭାରତରେ ନିଜର ଭିସା ମିଆଦଠାରୁ ଅଧିକ ଦିନ ରହିଛନ୍ତି, ତେବେ ସେମାନଙ୍କ ଉପରେ କୌଣସି ଜୋରିମାନା ବା ପେନାଲ୍ଟି ଲାଗୁ କରାଯିବ ନାହିଁ। ସାଧାରଣତଃ ଭିସା ନିୟମ ଉଲ୍ଲଂଘନ କଲେ ବଡ଼ ଧରଣର ଜୋରିମାନା ଦେବାକୁ ପଡ଼ିଥାଏ, ମାତ୍ର ବର୍ତ୍ତମାନର ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାକୁ ଛାଡ଼ କରିଛନ୍ତି।

ଏହା ବ୍ୟତୀତ, ଯେଉଁ ଯାତ୍ରୀମାନେ ଅନ୍ୟ ଦେଶକୁ ଯାଉଥିବା ବେଳେ ବିମାନର ଗତିପଥ ପରିବର୍ତ୍ତନ ଯୋଗୁଁ ଭାରତରେ ପହଞ୍ଚିବେ, ସେମାନଙ୍କୁ ସାମୟିକ ଭାବେ ରହିବା ପାଇଁ ଅସ୍ଥାୟୀ ଲ୍ୟାଣ୍ଡିଂ ପରମିଟ୍ (TLP) ଯୋଗାଇ ଦିଆଯିବ। ଦେଶ ଛାଡ଼ିବା ପାଇଁ ଆବଶ୍ୟକ ହେଉଥିବା ଏଗଜିଟ୍ ପରମିଟ୍ ମଧ୍ୟ ଯାତ୍ରୀମାନଙ୍କୁ ମାଗଣାରେ ମିଳିବ। ଭାରତର ଏହି ପଦକ୍ଷେପ ପଶ୍ଚିମ ଏସିଆର ସଙ୍କଟ ସମୟରେ ବିଦେଶୀ ନାଗରିକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ସାଜିଛି।

Related Articles

Back to top button