ଜୁନ୍ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଖାତା ଦେଖା ଶେଷ ହୋଇଛି ,ଫଳ ପ୍ରକାଶ ନେଇ ପ୍ରକ୍ରିୟା ଜାରି ଅଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତବର୍ଷ ୫ ଲକ୍ଷ ୨୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି । ରାଜ୍ୟରେ ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଦୁଇ ସପ୍ତାହରେ ଖାତାଦେଖା ସରିଛି । ପରୀକ୍ଷାର୍ଥୀଙ୍କ ମାର୍କ ଅନଲାଇନରେ ଅପଲୋଡ କରାଯାଉଥିବା ବେଳେ, SOSC ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ମାର୍କ ଅଫଲାଇନ ମୋଡରେ ରେକର୍ଡ କରାଯାଇଛି । ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ନିଯୁକ୍ତ ମେକର ଓ ଚେକର୍ଙ୍କ ଦ୍ବାରା ସିଧାସଳଖ ଛାତ୍ରଛାତ୍ରୀଙ୍କ ମାର୍କ ଅପ୍ଲୋଡ୍ ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ପରୀକ୍ଷାଫଳ ପ୍ରକାଶନ ପ୍ରକ୍ରିୟା ସହଜ ଓ ସରଳ ହେବ । ରାଜ୍ୟ ମଧ୍ୟରେ ସବ୍ଜେକ୍ଟିଭ୍ ପେପର ମୂଲ୍ୟାୟନ ଚାଲିଥିବାବେଳେ ରାଜ୍ୟ ବାହାରେ ଅବ୍ଜେକ୍ଟିଭ୍ ଖାତା ମୂଲ୍ୟାୟନ ଚାଲିଛି। ଫଳରେ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପାଇଁ ଆଉ ପାଖାପାଖି ଦୁଇ ସପ୍ତାହ ସମୟ ଲାଗିବ। ଏଥର ଫଳାଫଳକୁ ତ୍ରୁଟିଶୂନ୍ୟ କରିବା ପାଇଁ ବୋର୍ଡ ଉଦ୍ୟମ ଜାରି ରଖିଛି।