ଫେରିଲା ଚିଟ୍ ଫଣ୍ଡ୍ ମାମଲା – ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ଚିଟ୍ ଫଣ୍ଡ ମାମଲାକୁ ନଅ ବର୍ଷ ବିତି ଗଲାଣି । ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ କଣ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଓ ସିବିଆଇକୁ ଚିଟଫଣ୍ଡ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ଏଭଳି ନୋଟିସ୍ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନୋଟିସ୍ ପରେ ପୁଣି ଫେରିଛି ଚିଟଫଣ୍ଡ ମାମଲା । ନିବେଶକଙ୍କ ଟଙ୍କା ଫେରାଇବା ପାଇଁ କଣ କରାଯାଇଛି ଜାଣିବାକୁ ଚାହିଛନ୍ତି କୋର୍ଟ । ଠକ ସଂସ୍ଥାମାନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି କରାଇଥିଲେ ବି କାହିଁକି ଏଯାଏ କ୍ଷତି ପୂରଣ ମିଳିନାହିଁ ତାହାର ଜବାବ ମଗାଯାଇଛି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏମ.ଆର. ସାହା ଓ ବିଚାରପତି ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମାମଲା ପରିଚାଳନା କରିଥିଲେ । ପିଟିସନରେ ପ୍ରଶାନ୍ତ ଭୂଷଣ ଦର୍ଶାଇଛନ୍ତି ଯେ ଏହା ଭିତରେ ଅନେକ ସମ୍ପତ୍ତି ବ୍ୟାଜପ୍ତ ହୋଇଥିଲେ ବି ଜଣେ ହେଲେ ନିବେଶକଙ୍କୁ ଅର୍ଥ ଫେରାଯାଇନି । ଆବେଦନକାରୀଙ୍କ ପକ୍ଷରୁ ୪୮୦ ପୃଷ୍ଠାର ପିଟିସନ୍ ଆକାରରେ ଜନସ୍ୱାର୍ଥ ମାମଲା କରାଯାଇଛି । ଓଡ଼ିଶା ର ଚିଟଫଣ୍ଡ ଠକେଇରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଠକେଇ ହୋଇଥିବା କୁହାଯାଉଛି । ୪୪ଟି ଚିଟଫଣ୍ଡ କମ୍ପାନୀ ବିରୁଦ୍ଧରେ ୨୦୧୪ରେ ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ତାର ଚୂଡାନ୍ତ ରିପୋର୍ଟ ଦାଖଲ କରିନଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ନଭେମ୍ବର ୧୪ରେରେ ହେବ ।