ଗଣତନ୍ତ୍ର ଉପରେ କ’ଣ କରାଯିବା କଥା ଭାରତକୁ କହିବା ଅନାବଶ୍ୟକ
ଭାରତକୁ ଗଣତନ୍ତ୍ର ପ୍ରସଙ୍ଗରେ କଣ କରିବା ଉଚିତ୍ ଏବଂ କଣ ନକରିବା ଉଚିତ୍, ଏହା ଉପରେ କାହାରିଠୁ ଜ୍ଞାନ ନେବାର ଆବଶ୍ୟକତା ନାହିଁ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଞ୍ଚରେ ଏମିତି କଡା ଟିପ୍ପଣୀ କରିଛନ୍ତି ମିଳିତ ଜାତିସଂଘର ଭାରତୀୟ ରାଷ୍ଟ୍ରଦୂତ ରୁଚିରା କମ୍ବୋଜ। ଭାରତକୁ ଡିସେମ୍ବର ମାସ ପାଇଁ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଦାୟିତ୍ଵ ଦିଆଯାଇଛି। ପ୍ରତି ମାସରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ପରିବର୍ତ୍ତନ ହୋଇଥାଏ। ୨୦୨୧ ଅଗଷ୍ଟ ପରେ ଦ୍ଵିତୀୟ ଥର ଭାରତକୁ ଅଧ୍ୟକ୍ଷରତା କରିବାର ସୁଯୋଗ ମିଳିଛି। ଏହି ସମୟ ଅବଧିରେ ଭାରତ ଆତଙ୍କବାଦ ମୁକାବିଲା ଏବଂ ସଂଶୋଧିତ ବହୁପାକ୍ଷିକବାଦ ଉପରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରିବ। ଅଧ୍ୟକ୍ଷତା ଗ୍ରହଣ କରିବା ସହିତ ଜାତିସଂଘର ଏହି ଶକ୍ତିଶାଳୀ ଶାଖାରେ ନିର୍ବାଚିତ ଅସ୍ଥାୟୀ ସଦସ୍ୟ ଭାବେ ଭାରତର ୨ ବର୍ଷିୟା କାର୍ଯ୍ୟକାଳ ଶେଷ ହେବ।
ଜାତିସଂଘକୁ ଭାରତର ପ୍ରଥମ ସ୍ଥାୟୀ ମହିଳା ପ୍ରତିନିଧି କମ୍ବୋଜ ଅଶ୍ବଖୁରାକୃତି ଟେବୁଲ୍ ନିକଟରେ ପଡ଼ିଥିବା ଅଧ୍ୟକ୍ଷଙ୍କ ଆସନରେ ବସିବେ। ଅଧ୍ୟକ୍ଷତାର ପ୍ରଥମ ଦିନ ସେ ଜାତିସଂଘର ମୁଖ୍ୟାଳୟରେ କାର୍ଯ୍ୟର ମାସିକ କାର୍ଯ୍ୟକ୍ରମ ବିଷୟରେ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ। ଭାରରେ ଗଣତନ୍ତ୍ର ଓ ଗଣମାଧ୍ୟମର ସ୍ବାଧୀନତା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବା ବେଳେ ସେ କହିଲେ, ଏହା ଉତ୍ତରରେ ମୁଁ କହୁଛି ଯେ, ଗଣତନ୍ତ୍ର କ୍ଷେତ୍ରରେ କ’ଣ କରାଯାଏ ତାହା ଆମକୁ କହିବା ଅନାବଶ୍ୟକ। ଆମେ ସବୁବେଳେ ଗଣତନ୍ତ୍ରବାଦୀ। ସାମ୍ପ୍ରତିକ ସମୟରେ ବି ଆମର ଆଇନପ୍ରଣେତା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଚତୁର୍ଥ କ୍ଷେତ୍ର ଗଣମାଧ୍ୟମ ଅକ୍ଷୁଣ୍ଣ ରହିଛି। ସାମାଜିକ ଗଣମାଧ୍ୟମ ବି ଅତ୍ୟନ୍ତ ସକ୍ରିୟ ରହିଛି। ସେଥିପାଇଁ ଭାରତ ବିଶ୍ବରେ ବୃହତ୍ତମ ଗଣତନ୍ତ୍ର।