ନିଜେ ପାଇଁ ନିଜେ ସୁରକ୍ଷିତ ରାସ୍ତା ବାହାର କରୁଛି ରୋଭର ପ୍ରଜ୍ଞାନ । ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ବୁଲି ବୁଲି ତଥ୍ୟ ସଂଗ୍ରହ କରୁଛି ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ । ଚନ୍ଦ୍ରର ଏହି ଅଞ୍ଚଳ ଖାଲ ଖମା ଓ ଆଗ୍ନେୟଗିରି ଗର୍ତ୍ତରେ ପରିପୂର୍ଣ୍ଣ । ଯାହା ରୋଭର ପାଇଁ ବିପଦ । କାରଣ ରୋଭର ପରି ୬ ଚକିଆ ବିଶିଷ୍ଟ ଛୋଟିଆ ଯନ୍ତ୍ର ସେହି ଗର୍ତ୍ତ ଭିତରେ ପଡିଗଲେ ସେଥିରୁ ଉଠି କାମ କରିବା କଷ୍ଟକର । କିନ୍ତୁ ରୋଭର ପ୍ରଜ୍ଞାନ ସମ୍ମୁଖକୁ ଆସୁଥିବା ବାଧା ବିଷୟରେ ସେ ଜାଣିପାରୁଛି । ଆଉ ନିଜ ସୁରକ୍ଷାର ରାସ୍ତା ନିଜେ ତିଆରି କରୁଛି ।
ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ଥିବା ଗର୍ତ୍ତରେ ପଡିବାରୁ ଅଳ୍ପକେ ବର୍ତ୍ତିଛି ରୋଭର ପ୍ରଜ୍ଞାନ । ରୋଭରରେ ଉନ୍ନତମାନର ସେନସର ସିଷ୍ଟମ ଲାଗିଥିବାରୁ ଏହା ଗର୍ତ୍ତରେ ପଡିବାରୁ ବର୍ତ୍ତିଯାଇଛି । ଚନ୍ଦ୍ର ପୃଷ୍ଠରେ ଗଡିବା ବେଳେ ରୋଭର ପ୍ରଜ୍ଞାନ ଯେଉଁ ବାଟ ଦେଇ ଯାଉଥିଲା ସେହିଠାରୁ ୩ ମିଟର ଦୂରରେ ଏକ ଗର୍ତ୍ତ ଥିବା ଜାଣିବାକୁ ପାଇଥିଲା । ଯାହାର ବ୍ୟାସ ୪ ମିଟର ଓ ଗଭରତା ୧୦୦ ମିଲିମିଟର । ଏହାପରେ ରୋଭର ଦିଗ ପରିବର୍ତ୍ତନ କରି ଅନ୍ୟ ରାସ୍ତା ବାଛିଥିଲା । ଏବେ ରୋଭର ନୂଆ ରାସ୍ତାରେ ସୁରକ୍ଷିତ ଭାବେ ଆଗ୍ରସର ହୋଇ ଅଧିକ ତଥ୍ୟ ସଂଗ୍ରହ କରୁଛି । ତେବେ ଚନ୍ଦ୍ରର ଗୋଟିଏ ଦିନ ବା ପୃଥୀବୀର ୧୪ ଦିନର କାର୍ଯ୍ୟ ଭିତରେ ରୋଭର ପ୍ରଜ୍ଞାନକୁ ଏହିପରି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ଅନ୍ୟପଟେ ଚନ୍ଦ୍ରର ଯେଉଁ ଦକ୍ଷିଣ ମେରୁରେ ଆଜି ଯାଏଁ କେହି ପାଦ ଥାପିନଥିଲେ ସେଠାରୁ ପ୍ରଥମ ଥର ପାଇଁ ଅନେକ ନୂଆ ନୂଆ ତଥ୍ୟ ହାସଲ କରୁଛି ଚନ୍ଦ୍ରଯାନ-୩ । ଚନ୍ଦ୍ରର ତାତି ମାପିଛି ଲ୍ୟାଣ୍ଡର ବିକ୍ରମ । ଜହ୍ନ ମାଟିରେ ଗଭୀରତା ବଢିବା ସହ ତାପମାତ୍ରା କିଭଳି ବଦଳୁଛି ତାର ଗ୍ରାଫ ଜାରି କରିଛି ଇସ୍ରୋ । ଯେଉଁଥିରେ ଚନ୍ଦ୍ରପୃଷ୍ଠର ସାମାନ୍ୟ ଉପରୁ କିଛି ମିଲିମିଟର ଗଭୀର ଯାଏଁ ତାପମାତ୍ରା କିଭଳି ମାଇନସ ୧୦ ଡିଗ୍ରୀରୁ ପ୍ରାୟ ୬୦ ଡିଗ୍ରୀ ଯାଏଁ ପରିବର୍ତ୍ତିତ ହେଉଛି ତାହା ଦେଖିବାକୁ ମିଳିଛି ।
ତେବେ ଏଇତ ଆରମ୍ଭ ମାତ୍ର, ଆଗକୁ ଭାରତ ହାତରେ ଲାଗିବ ଆହୁରି ଅନେକ ବୈଜ୍ଞାନିକ ତଥ୍ୟ । ଯାହାକି ଅନ୍ୟ କୌଣସି ଦେଶ ପାଖରେ ନାହିଁ ।