ରାଜନୀତି

କିଏ ଧରିବେ ପୁରୀ ବିଜେଡି ସଭାପତି ମଙ୍ଗ?

ପୁରୀ ପାଇଁ ଖୋଜା ଚାଲିଛି ଜଣେ ଟାଣୁଆ ନେତା। ଯିଏ କି ସମ୍ଭାଳିବେ ଜିଲ୍ଲା ବିଜେଡି ସଭାପତି ଦାୟିତ୍ଵ। ନଗରପାଳ, ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ଭାବେ ୪ ଦଶନ୍ଧି ଧରି ପୁରୀ ରାଜନୀତିରେ ନିଜର ପତିଆରା ରଖିଥିବା ମହେଶ୍ଵର ମହାନ୍ତିଙ୍କ ବିୟୋଗ ପରେ ତାଙ୍କର ବିକଳ୍ପ କିଏ ହେବ? ଏହି ଚର୍ଚ୍ଚା ଏବେ ଏଠି-ସେଠି-ସବୁଠି।

ଶାସକ ବିଜେଡି ପାଇଁ ଏହା ସବୁଠୁ ବଡ଼ କଠିନ ବ୍ୟାପାର ଯେ କାହାକୁ ସମର୍ପିବ ଗୁରୁ ଦାୟିତ୍ଵ। କାରଣ ବିଜେଡିର ଗଡ଼ ହୋଇ ମଧ୍ୟ ବ୍ରହ୍ମଗିରି ଓ ପୁରୀ ବିଧାନସଭା ଆସନ ୨୦୧୯ରେ ତାହା ଦଳ ହାତରୁ ଖସି ଯାଇଥିଲା। ଏପରିକି ଲୋକସଭା ଆସନରେ ମଧ୍ୟ କମିଥିଲା ଭୋଟ ହାର। ଏଣୁ ପୂର୍ବ ଶକ୍ତି ଫେରାଇବା ପାଇଁ ପୁରୀ ଲାଗି ଖୋଜା ଚାଲିଛି ଟାଣୁଆ ନେତା। ତେବେ ଏ କ୍ଷେତ୍ରରେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ସଞ୍ଜୟ ଦାସବର୍ମା।

ସିନିଅରିଟି ଓ ଏକ୍ସପେରିଏନ୍ସ ଦୃଷ୍ଟିରୁ ସଞ୍ଜୟଙ୍କ ନାଁ ଚର୍ଚ୍ଚାରେ ରହିଆସୁଛି। କିଛି ଦିନ ପୂର୍ବରୁ ତାଙ୍କୁ ଭଦ୍ରକ ଜିଲ୍ଲା ପ୍ରଭାରୀ ଭାବେ ଦାୟିତ୍ଵ ଦେଇଛି ଦଳ। ତେଣୁ ସଞ୍ଜୟଙ୍କୁ ପୁରୀ ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ନ୍ୟସ୍ତ କରିପାରନ୍ତି ଦଳର ସୁପ୍ରିମୋ।

ସେପଟେ ନିମାପଡ଼ା ବିଧାୟକ ସମୀର ଦାସ ବିବାଦ ଘେରରେ ରହି ମନ୍ତ୍ରିମଣ୍ଡଳରୁ ବିଦା ହୋଇଯାଇଛନ୍ତି। ସେହିପରି କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ପତିଆରା ଥିଲେ ମଧ୍ୟ ଯୁବ ଚେହେରା ହୋଇଥିବାରୁ ଜିଲ୍ଲା ଦାୟିତ୍ଵ ନ୍ୟସ୍ତ କରାନଯାଇପାରେ। ଅନ୍ୟ ଦୃଷ୍ଟିରୁ ଦେଖିଲେ ପୁରୀ ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜେଡିର ସମାନ୍ତରାଳ ନେତୃତ୍ଵ ସୃଷ୍ଟି ହେଲେଣି।

ତେଣୁ ଆସନ୍ତା ନିର୍ବାଚନ ପାଇଁ ବିଜେଡିକୁ ବଡ଼ ସତର୍କତାର ସହ ଟିକେଟ ବଣ୍ଟନ କରିବାକୁ ହେବ ବୋଲି ରାଜନୀତିକ ବିଶ୍ଲେଷକ ମତ ଦେଉଛନ୍ତି। ମହେଶ୍ଵରଙ୍କ ପରେ ହୁଏତ ତାଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ଦଳ ଟିକେଟ ଦେଇପାରେ, କିନ୍ତୁ ପୁରୀ ସଦର ଓ ପୌରାଞ୍ଚଳରେ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ସଂଗଠନ ସୁଦୃଢ଼ କରିସାରିଲେଣି। ଏ ସମସ୍ତ ଦୃଷ୍ଟିକୋଣରୁ ପୁରୀ ଜିଲ୍ଲା ପାଇଁ ବିଜେଡି ସୁପ୍ରିମୋ କାହାକୁ ଜିଲ୍ଲା ଦାୟିତ୍ଵ ଭାର ଅର୍ପଣ କରିବେ ତାହା ଦେଖିବାକୁ ବାକି ରହିଲା।

Related Articles

Back to top button
WP Twitter Auto Publish Powered By : XYZScripts.com