ଜାତୀୟରାଜନୀତି

ବଢୁଛି ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା! ବିଦେଶରୁ ଆସିଲା ନିମନ୍ତ୍ରଣ! ଚର୍ଚ୍ଚା, କହିବେ କଣ?

ନୂଆଦିଲ୍ଲୀ: ଏବେ ଫୁଲ ଆକ୍ଟିଭ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି । ସରକାରଙ୍କୁ ଘେରିବାରେ ମୁଖ୍ୟ ଭୂମିକା ନେଉଛନ୍ତି ରାହୁଲ । ଆଉ ବିରୋଧୀ ଦଳ ନେତା ହେବା ପରେ ବିଜେପି ସରକାର ଉପରେ ଚାପ ବଢିଥିବା କୁହାଯାଉଛି । ଏମିତି କି ସାଂସଦଙ୍କ ଚାପରେ ମୋଦି ଗଭମେଂଟ ଅନେକ ପ୍ରସଙ୍ଗରେ ୟୁଟର୍ଣ୍ଣ ନେଇଛି । ତେଣୁ ରାଜନୀତିରେ ରାହୁଲଙ୍କ ଭିନ୍ନ ଏକ ରୂପ ଦେଖିବାକୁ ମିଳିଛି ବୋଲି ଆଲୋଚନା ହେଉଛି ।

ତେବେ କେବଳ ଭାରତରେ ନୁହେଁ, ବିଦେଶରେ ବି ରାହୁଲଙ୍କ ଲୋକପ୍ରିୟତା ବଢିଥିବା ଚର୍ଚ୍ଚା ଜୋର । ଯେଉଁଥି ପାଇଁ ତାଙ୍କୁ ଆମେରିକାରୁ ନିମନ୍ତ୍ରଣ ଆସିଥିବା କୁହାଯାଉଛି । ସେପ୍ଟେମ୍ବର ୮ରେ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ୮-୯ଦିନ ପାଇଁ ଏହି ଯାତ୍ରା ସ୍ଥିର ହୋଇଥିବା ବେଳେ, ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ କାଂଟଛାଟ କରାଯାଇଛି ।

ତେଣୁ ୫-୭ଦିନ ରହି ସେଠାକାର ଭାରତୀୟ ଡାଏସପୋର, ଛାତ୍ରଛାତ୍ରୀ ଓ ଆଇନଜୀବୀଙ୍କୁ ଭେଟି ଆଲୋଚନା କରିବେ ବୋଲି ଜଣାପଡିଛି । ସବୁଠୁ ବଡକଥା ହେଲା ରାହୁଲଙ୍କ ଆମେରିକା ଗସ୍ତର ସମୟ । ସେ ଏମିତି ସମୟରେ ଗସ୍ତ କରୁଛନ୍ତି ଯେଉଁଠି ଆଗକୁ ରହିଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଆଉ ଏହାର ମାସକ ପୂର୍ବରୁ ରାହୁଲଙ୍କ ଏହି ଗସ୍ତ ।

ଯେଉଁଠାରେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ କମଲା ହ୍ୟାରିସ ତାଙ୍କ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଲଢୁଛନ୍ତି । ତେଣୁ ରାହୁଲଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି । କାରଣ ରାହୁଲଙ୍କ ମନ୍ତବ୍ୟର ପ୍ରଭାବ ମଧ୍ୟ ଭାରତରେ ଦେଖିବାକୁ ମିଳିଛି । ସେ ବିଦେଶରେ ଯାହା ବି ଭାଷଣ ଦିଅନ୍ତି, ତାହାକୁ ଦେଶରେ ମୁଦ୍ଦା କରାଯାଇଥାଏ ।

ପୂର୍ବରୁ ମଧ୍ୟ ଏହାର ଝଲକ ଦେଖାଦେଇଛି । ଯେତେବେଳେ ମେ ୩୦ ୨୦୨୩ରେ ଶେଷଥର ପାଇଁ ଆମେରିକା ଯାଇଥିଲେ, ସେଠାରେ ଏକ ସଭାକୁ ସମ୍ବୋଧିତ କରିବା ସହ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ରାହୁଲ । ଯାହାକୁ ନେଇ ଭାରତରେ ହୋଇଥିଲା ତୁମ୍ବିତୋଫାନ । ଆଉ ଏବେ ବିରୋଧୀ ଦଳ ନେତା ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଆମେରିକା ଗସ୍ତ ।

ତେଣୁ ଆଗକୁ ହରିୟାଣା ଓ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ଥିବାରୁ ତାଙ୍କ ଭାଷଣର ପ୍ରଭାବ ଅଧିକ ରହିବ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେଠାରୁ ଚିନ୍ତାରେ ପଡିଗଲାଣି ବିଜେପି । ତେଣୁ ରାହୁଲ ସେଠାରେ କଣ କହୁଛନ୍ତି, ତାହା ଉପରେ ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com