ଓଡ଼ିଶା

ବାର୍ଡ ଫ୍ଲୁ ମୁକ୍ତ ଭୁବନେଶ୍ବର କରିବା ପାଇଁ ଜାରି ହେଲା ଗାଇଡଲାଇନ, କଣ ଜାଣନ୍ତୁ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିବା ଆରମ୍ଭ ହୋଇଛି । ଏନେଇ ବାର୍ଡ ଫ୍ଲୁକୁ ନେଇ ଭୁବନେଶ୍ଵର ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ, ଭୁବନେଶ୍ଵର ଆଖପାଖ ଅଞ୍ଚଳରେ ବାର୍ଡ ଫ୍ଲୁ ସଂକ୍ରମଣ ଦେଖାଦେଇଛି।

ରାଜଧାନୀବାସୀଙ୍କ ସ୍ଵାସ୍ଥ୍ୟକୁ ନଜରରେ ରଖି ନିର୍ଦ୍ଦେଶନାମା ଜାରି ହୋଇଛି । ବାହାରୁ କୌଣସି କୁକୁଡ଼ା ନଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାହାରୁ କୁକୁଡ଼ା ନକିଣିବାକୁ ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି ।

ଯେଉଁ ଦୋକାନୀମାନେ ନିର୍ଦ୍ଦେଶକୁ ଅବମାନନା କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାନୁଯାୟୀ, ସଂପ୍ରତି ବାର୍ଡ-ଫ୍ଲୁ ବ୍ୟାପୁଥିବା ବେଳେ ରାଜଧାନୀରେ ଥିବା କୁକୁଡ଼ା ମାଂସ ବିକ୍ରେତାମାନେ ସଚେତନ ହେବା ଆବଶ୍ୟକ ।

ଯେଉଁ ଅଞ୍ଚଳରେ ସଂକ୍ରମଣ ବ୍ୟାପୁଛି ସେଠାରୁ କୁକୁଡ଼ା ଆଣି ବିକ୍ରି କରିବାକୁ ମନା କରିଛି ଭୁବନେଶ୍ୱର ମହାନଗର ନିଗମ । ଯେଉଁ କୁକୁଡ଼ା ବା ପକ୍ଷୀ ଅସ୍ୱାଭାବିକ ଭାବେ ଅସୁସ୍ଥ ହୋଇ ପଡିଯାଇଥିବl କିମ୍ବା ମରିଥିବା ଦେଖିବାକୁ ମିଳିଲେ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ୱାର୍ଡ ଅଫିସ୍‌ରେ ଜଣାଇବାକୁ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ମଲା ପକ୍ଷୀଙ୍କୁ ଏଣେତେଣେ ନ ଫୋପାଡ଼ି ନିର୍ଦ୍ଦିଷ୍ଟ ସ୍ଥାନରେ ପୋତିବା ସହ ସେଠାରେ ବ୍ଲିଚିଂ ପକାନ୍ତୁ । ଏହି ସମୟରେ ମାକ୍ସ ଓ ଗ୍ଲୋବ୍ସ ପିନ୍ଧିବାକୁ କୁହାଯାଇଛି । ଯଦି ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କୁ ଜ୍ୱର, ଛିଙ୍କ, କାଶ ଲାଗିରହୁଛି ତେବେ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ରାଜେଶ ପାଟିଲ ନିବେଦନ କରିଛନ୍ତି ।

ବିଏମ୍‌ସିର ଗାଇଡ୍‌ଲାଇନ୍‌ ମାନିବା ସହ ବାର୍ଡ-ଫ୍ଲୁ ମୁକ୍ତ କରିବା ପାଇଁ ସହାୟକ ହୁଅନ୍ତୁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବିଏମ୍‌ସି ଅଧିକାରୀ ବା ସାଇନ୍‌ ଟିମ୍‌ ପରିଦର୍ଶନରେ ଯିବା ସମୟରେ ଠିକ୍‌ ତଥ୍ୟ ପ୍ରଦାନ କରି ଭୁବନେଶ୍ବରକୁ ବାର୍ଡ ଫ୍ଲୁ ମୁକ୍ତ କରିବାରେ ସକ୍ରିୟ ସହଯୋଗ କରିବା ପାଇଁ ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com