ଓଡ଼ିଶା

ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ: ଅନୁ ଗର୍ଗ

ଭୁବନେଶ୍ୱର: ରାଜ୍ୟରେ ବଦଳିଛି ସରକାର l ଆଉ ବଦଳିଛି ପ୍ରଶାସନିକ କାର୍ଯ୍ୟକ୍ରମ ବ୍ୟବସ୍ଥା l ଏଣିକି ସବୁ ଜିଲ୍ଲାକୁ ସଚିବମାନେ ଗସ୍ତରେ ଯିବେ। ଏମିତିରେ ସେମାନଙ୍କୁ ଜିଲ୍ଲା ବlଣ୍ଟି ଦିଆଯାଇଛି । ପ୍ରତିମାସରେ ‘ସଚିବମାନଙ୍କ ଆବଣ୍ଟିତ ଜିଲ୍ଲା’ ବଦଳିବ । ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ସମସ୍ତ ବିଭାଗର ସଚିବ ଓ ଅନ୍ୟ ୮ଜଣ ନିର୍ଦ୍ଦେଶକ ପାହ୍ୟାର ଅଫିସରଙ୍କୁ ଚିଠି ଲେଖି ଜିଲ୍ଲା ଗସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଆବଣ୍ଟିତ ଜିଲ୍ଲାକୁ ପରିଦର୍ଶନ କରିବା ପାଇଁ ୨-୩ଦିନର ଯୋଜନା ପ୍ରସ୍ତୁତ କରିବା ସହ ଅନ୍ୟ ୧୧ଟି ଦିଗ ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି । ଏହି ଆଇଏଏସ୍ ଅଫିସରମାନଙ୍କୁ ଆବଣ୍ଟିତ ଜିଲ୍ଲାର ଯେକୌଣସି ସ୍ଥାନକୁ ନିଜ ଇଚ୍ଛା ଅନୁସାରେ ପରିଦର୍ଶନରେ ଯାଇପାରିବେ ।

ତେବେ ଏଥିରେ ଅପହଞ୍ଚ ଓ ଆଦିବାସୀ ବହୁଳ ଅଞ୍ଚଳକୁ ସାମିଲ କରିବାକୁ କୁହାଯାଇଛି । ଗସ୍ତ ସମୟରେ ସେମାନେ ଯେକୌଣସି ଗୋଟିଏ ପଞ୍ଚୟତକୁ ପରିଦର୍ଶନ କରି ସେଠାରେ ସରକାରଙ୍କ ବିଭିନ୍ନ ଯୋଜନାରେ ମୌଳିକ ସୁବିଧାଗୁଡ଼ିକ କିଭଳି ଉପଲବ୍ଧ ହେଉଛି ତାହା ତଦାରଖ କରିବେ । ଏହାସହିତ ଦିନକୁ ଅତିକମରେ ଧାର୍ଯ୍ୟ ମୂଲ୍ୟଦେଇ ଆହାର କେନ୍ଦ୍ର, ଆବାସିକ ଛାତ୍ରାବାସ, ସ୍କୁଲ ମଧ୍ୟାହ୍ନଭୋଜନ ଅବା ଅନାଥ ଆଶ୍ରମରେ ଭୋଜନ କରି ଖାଦ୍ୟର ଗୁଣବତ୍ତା ଓ ସେଠାକାର ପରିବେଶ ପରିସ୍ଥିତି ଉପରେ ଦୃଷ୍ଟି ଦେବେ ।

ଏହି ସମୟରେ ସେମାନେ ଛାତ୍ରଛାତ୍ରୀ ଓ ଅନ୍ତେବାସୀଙ୍କ ସହ ଆଲୋଚନା କରି ସେଠାରେ ଉପଲବ୍ଧ ସୁରକ୍ଷା, ସୁବିଧାସୁଯୋଗ ଓ ସେମାନଙ୍କ ପ୍ରତି କରାଯାଉଥିବା ଆଚରଣ ପଚାରି ବୁଝିବେ । କେବଳ ସେତିକି ନୁହେଁ ଜିଲ୍ଲା ଗସ୍ତବେଳେ ବିଭିନ୍ନ ବର୍ଗର ଲୋକ, ହସ୍ପିଟାଲରେ ଚିକିତ୍ସିତ ରୋଗୀ, ଅଙ୍ଗନୱାଡ଼ି ହିତାଧିକାରୀ, ସ୍କୁଲ ଓ ହଷ୍ଟେଲର ଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିବେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ସମୀକ୍ଷା କରିବା ସହ ଜିଲ୍ଲାରେ ଥିବା ବନ୍ଦର, ବିମାନ ବନ୍ଦର, ଶିଳ୍ପ କାର୍କ ଓ କରିଡୋର, ମେଡିକାଲ କଲେଜ, ବୃହତ୍ ଜଳସେଚନ ପ୍ରକଳ୍ପଗୁଡ଼ିକ ଓ ନୂଆ ପ୍ରକଳ୍ପ ଆଦିର ସମୀକ୍ଷା ମଧ୍ୟ କରିବେ।

ଜିଲ୍ଲାରେ ଯଦି ଟ୍ରେନି ଆଇଏଏସ୍ ଥିବେ ସେମାନଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। କ୍ଷେତ୍ର ପରିଦର୍ଶନ ପରେ ଅତିକମରେ ଅଧାଦିନ ସମ୍ପୃକ୍ତ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କ ସହ ଆଲୋଚନା କରି ଏହି ଅଫିସରମାନେ ନିଜସ୍ୱ ମନ୍ତବ୍ୟ ଦେବେ। ଏସବୁ ବ୍ୟତୀତ ୮ଟି ଡିଏମଏଫ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଓ ଓମବାଡ଼ସି ପାଣ୍ଠିର ବିନିଯୋଗ ଏବଂ ୨୯ଟି ଆକାଂକ୍ଷୀ ବ୍ଲକଗୁଡ଼ିକରେ ବିକାଶମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ ।

ପ୍ରତିମାସରେ ଜିଲ୍ଲା ଗସ୍ତରୁ ଫେରିବା ପରେ ଗସ୍ତର ସାରାଂଶ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କୁ ଅବଗତ ପାଇଁ ରିପୋର୍ଟ କରି ପଠାଇବେ। ରାଜ୍ୟ ସରକାର ସମସ୍ତ ସୁବିଧା ଓ ଅଧିକ ସ୍ୱଚ୍ଛତା ପାଇଁ ଖୁବଶୀଘ୍ର ଏ ସମ୍ବନ୍ଧରେ ଏକ ୱେବପୋର୍ଟାଲ ଖୋଲି ପରିଦର୍ଶନ ଟିପ୍ପଣୀଗୁଡ଼ିକୁ ଅପଲୋଡ୍ କରିବେ ବୋଲି ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com