ଜାତୀୟ

ଜମି ଦୁର୍ନୀତି ମାମଲା: ସିଦ୍ଦରମୈୟା ଆବେଦନକୁ ହାଇକୋର୍ଟଙ୍କ ଖାରଜ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଜମି ଦୁର୍ନୀତି ମାମଲା ଉପରେ କରିଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି । ନିକଟରେ ଏହି ମାମଲା ଉପରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ସିଦ୍ଦରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁଖ୍ୟମନ୍ତ୍ରୀ l ଯାହାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ସେ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (ଏମ୍‌ୟୁଡିଏ) ଜମି ଦୁର୍ନୀତି ମାମଲାରେ ଅନିୟମିତତା ଅଭିଯୋଗକୁ ନେଇ ରାଜ୍ୟପାଳଙ୍କ ବିରୋଧରେ ମାମଲା ରୁଜୁ କରିବାର ଆଇନଗତତାକୁ ଚ୍ୟାଲେଞ୍ଜ କରିଥିଲେ ।

ବିଚାରପତି ଏମ ନାଗପ୍ରସାନ୍ନାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ସିଦ୍ଦରମୈୟାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟ୍‌ ପୂର୍ବରୁ ସିଦ୍ଧରମୟାଙ୍କ ପତ୍ନୀ ପାର୍ବତୀ ସିଦ୍ଧରମୟାଙ୍କୁ ଏମ୍‌ୟୁଡିଏ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜମିକୁ କେନ୍ଦ୍ର କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ପତ୍ନୀ ପାର୍ବତୀଙ୍କୁ ଦିଆଯାଇଥିବା ଜମିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତା’ପରେ ତାହାକୁ ସିଦ୍ଦରମୈୟା ତାହାକୁ ଚ୍ୟାଲେଞ୍ଜ୍‌ କରିଥିଲେ ।

ସେହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ରାଜ୍ୟପାଳ ସ୍ବାଧୀନ ଭାବେ ନିଷ୍ପତ୍ତି ନେଇପାରିବେ । ଏମ୍‌ୟୁଡିଏ ମାମଲାରେ ସିଦ୍ଧରମୟାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ତିନିଜଣ କାର୍ଯ୍ୟକର୍ତ୍ତା ଟିଜେ ଅବ୍ରହାମ, ସ୍ନେହମଇ କୃଷ୍ଣା ଏବଂ ପ୍ରଦୀପ କୁମାର ଏସପି ଅଭିଯୋଗ କରିବା ପରେ ଏହି ବିବାଦ ଘନେଇଥିଲା ।

କର୍ଣ୍ଣାଟକର ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଟି.ଜେ ଆବ୍ରାହମ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ (MUDA) ଜମି ଆବଣ୍ଟନରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୁଦ୍ଧରେ ଘୋଟାଲା ଅଭିଯୋଗ ଆଣିଥିଲେ । ଏହି ଦୁର୍ନୀତି ଉପରେ ମାମଲା ରୁଜୁ କରି ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ।

ରାଜ୍ୟପାଳ ତାଙ୍କ ଅନୁରୋଧ କ୍ରମେ ଅଗଷ୍ଟ ୧୬ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ନ୍ୟାୟିକ ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ବିଜେପି ଜାଣିଶୁଣି ଏପରି କରୁଥିବା ଅଭିଯୋଗ କରି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ହାଇକୋର୍ଟ ସେପ୍ଟେମ୍ବର ୧୨ରେ ଏହି ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ, ଯାହା ଆଜି ପ୍ରକାଶ ପାଇଛି। ତେବେ ହାଇକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ କରିପାରିବ।

Related Articles

Back to top button
WP Twitter Auto Publish Powered By : XYZScripts.com