ଓଡ଼ିଶାବାଣିଜ୍ୟ

ଓଡିଶା ଛାଡିବ ଜେଏସଡବ୍ଲୁ; ହାତରୁ ଖସିଗଲା ଜେଏସଡବ୍ଲୁ ଇଭି ପ୍ରକଳ୍ପ

ଭୁବନେଶ୍ବର: ନେଇଗଲା ମହାରାଷ୍ଟ୍ର, ଚାହିଁ ଜଳକା ଓଡିଶା। ରାଜ୍ୟ ଓଡିଶା ଛାଡିବ ବିଶ୍ବର ଅନ୍ୟତମ ଶିଳ୍ପ ସମ୍ରାଟ ଜେଏସଡବ୍ଲୁ । ଓଡିଶାରେ ଜେଏସଡବ୍ଲୁ ୪୦ ହଜାର କୋଟି ଟଙ୍କାର ଏକ ଇଲେଟ୍ରିକ ଭେଇକଲ ଏବଂ ବ୍ୟାଟେରୀ କାରଖାନା ପ୍ରତିଷ୍ଠା କରିଥାଆନ୍ତା ।

ହେଲେ କୌଣସି କାରଣ ପାଇଁ ଏହି କଂପାନୀ ଓଡିଶା ଛାଡିବ ବୋଲି ଦେଶର ପ୍ରତିଷ୍ଠିତ ଗଣମାଧ୍ୟମ ‘ମିଣ୍ଟି’ ରେ ପ୍ରକାଶ ପାଇଛି । ଗତ ଫେବୃୟାରୀ ମାସରେ ଜେଏସଡବ୍ଲୁ ଓଡିଶା ସରକାରଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷରିତ କରିଥିଲା ।

ଏଥିରେ କଂପାନୀ କଟକ ଓ ପାରାଦ୍ବୀପରେ ଶିଳ୍ପ ପ୍ରତିଷ୍ଠା କରିବା ଏହି ବୁଝାମଣ କରିଥିଲା । ଏପରିକି ବିରୋଧୀ ବିଜେଡି କି କଂଗ୍ରେସ ବି ପ୍ରସଙ୍ଗକୁ ଗୁରୁତ୍ବ ଦେଇ ବିଧାନସଭାରେ ଉଠାଇଲେନି ।

ଏବେ ଜାତୀୟ ଗଣମାଧ୍ୟମରେ ସମାନ ରିପୋର୍ଟ ପ୍ରକାଶ ପାଇବା ପରେ ଚେତା ପଶିଛି । ହେଲେ ଫଳ କିଛି ହେବନି । କାରଣ ଓଡିଶା ଛାଡି ମହାରାଷ୍ଟ୍ରରେ ଇଭି କାରଖାନା କରିବାକୁ ନିଷ୍ପତ୍ତି ନେଇସାରିଲାଣି ଜେଏସଡବ୍ଲୁ ।

ସେତେବେଳେ ଓଡିଶାରେ ନବୀନ ପଟ୍ଟନାୟକ ସରକାରରେ ଥିଲେ । ହେଲେ ସରକାର ପରିବର୍ତ୍ତନ ପରେ କଂପାନୀ ଏହି ପ୍ରକଳ୍ପକୁ ମହାରାଷ୍ଟ୍ର ସ୍ଥାନାନ୍ତର କରିବ ବୋଲି ଜଣାପଡିଛି ।

ତେବେ ଏ ନେଇ କଂପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ । ପୂର୍ବ ବିଜେଡି ସରକାର ବେଳେ କଟକ ନରାଜରେ ବିଶ୍ବର ସର୍ବବୃହତ ଇଲେକ୍ଟ୍ରିକ୍ ଯାନ କାରଖାନା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଥିଲା ।

ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା କରିବା ନେଇ ସେତେବେଳର ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ହେଲେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରକଳ୍ପ ନେଇ ଅନିଶ୍ଚିତତା ଲାଗି ରହିଥିଲା ।

ଏପରିକି ଜେଏସଡବ୍ଲୁ ଗ୍ରୁପ ମହାରାଷ୍ଟ୍ରରେ ଇଭି ଓ ବ୍ୟାଟେରୀ ପ୍ଲାଣ୍ଟ ନେଇ ୫୨ହଜାର ୨ଶହ କୋଟି ଟଙ୍କା ନିବେଶ କରିବା ଖବର ଆଶଙ୍କା ବଢାଇଥିଲା। ଶେଷରେ ଓଡିଶା ନୁହେଁ ମହାରାଷ୍ଟ୍ରକୁ ଜେଏସଡବ୍ଲୁ ବାଛିଥିବା ଜଣାପଡିଛି । ତେବେ ଜେଏସଡବ୍ଲୁ ଓଡିଶା ଛାଡିବା ନେଇ କିଛି ଫାଇନାଲ୍ ହୋଇନଥିବା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com