ଓଡ଼ିଶା

ଆନ୍ଦୋଳନରେ ନର୍ସ: ଜରୁରୀକାଳୀନ ସେବା ବନ୍ଦ କରିବାକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟ ସରକାର-ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ । ଫଳରେ ଆଜି ନର୍ସିଂ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ । ଏସମା ଲାଗୁ ସତ୍ବେ ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଛନ୍ତି । ଦାବି ପୂରଣ ନହେଲେ ୨୭ ତାରିଖ ଅର୍ଥାତ୍ ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।

ବୁଧବାର ଲୋକସେବା ଭବନରେ ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିଲା । ସରକାର ନର୍ସିଂ କର୍ମଚାରୀଙ୍କ ଦାବିକୁ ମାନି ନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସଂଘ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରାୟ ୧୫୦୦୦ ନର୍ସିଂ ଅଧିକାରୀ ସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ହେଲେ ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ କରାଯାଉନାହିଁ ।

୧୦ ଦଫା ଦାବି ନେଇ ନର୍ସିଂ ଅଧିକାରୀ ସଂଘ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଇଛନ୍ତି । ଗତମାସରେ ଦାବି ପୂରଣ ପାଇଁ ସଂଘ ଆନ୍ଦୋଳନ କରିଥିଲା ଏବଂ ସେବା ପ୍ରଭାବିତ ହେବାରୁ ସରକାର ଆଲୋଚନାକୁ ଡାକିଥିଲେ। ଗତ ୨୫ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା ।

ମନ୍ତ୍ରୀ ସଂଘକୁ ମାସେ ମହଲତ ଦେଇଥିଲେ ଏବଂ ମାସେ ମଧ୍ୟରେ ଦାବି ପୂରଣ ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ । ମାତ୍ର ଏପର୍ଯ୍ୟନ୍ତ ସରକାର କୌଣସି ପଦ‌େ‌କ୍ଷପ ଗ୍ରହଣ କରିଲେ ନାହିଁ କିମ୍ବା ସଂଘକୁ ଜଣାଇଲେ ନାହିଁ।

ତେଣୁ ବାଧ୍ୟ ହୋଇ ନର୍ସିଂ କର୍ମଚାରୀ ମାନେ ଏଭଳି ନିଷ୍ପତ୍ତି ନେଇଥିଲେ । ସଂଘର ଦାବି ଅନୁସାରେ, ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ଛଅ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରିରେ ମିଶାଇ ପଦୋନ୍ନତି, ଆର୍ଥିକ ସହାୟତା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, CHO ପଦବୀରୁ ଫେରାଇଆଣି କ୍ୟାଡ଼ର ପୋଷ୍ଟରେ ଅବସ୍ଥାପିତ, ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର ନର୍ସିଂ ଅଫିସରଙ୍କୁ ସ୍ଥାୟୀ ନିଯୁକ୍ତି ସହ ଠିକାସଂସ୍ଥା ଦ୍ୱାରା ନର୍ସିଂ ଅଫିସର ନିୟୋଜନ ଆଦେଶକୁ ପ୍ରତ୍ଯାହାର କରିବାକୁ ଦାବି ହୋଇଛି ।

ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସଂଘର ପ୍ରତିନିଧିମାନେ ସରକାରଙ୍କୁ ତାଙ୍କର ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ । ସମସ୍ୟାଗୁଡ଼ିକୁ ସମ୍ବେଦନତାର ସହିତ ଗ୍ରହଣ କରାଯାଇ ନର୍ସିଂ ଅଫିସରମାନଙ୍କ ସହିତ ନିୟମିତ ଭାବେ ଆଲୋଚନା କରାଯିବ। ନର୍ସିଂ ଅଫିସରମାନଙ୍କ ପାଇଁ ରାଜ୍ୟ ସରକାର ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଥିବା ସଂପର୍କରେ କହିଥିଲେ ।

ସେ ମଧ୍ୟରେ ୨୦୨୧ ମସିହାରେ ଖାଲି ଥିବା ୬୪୩୨ ପଦବି ମଧ୍ୟରୁ ୪୬୮୩ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ୭୪୮୩ ଟି ଖାଲି ପଦବିରୁ ୩୭୩୮ ଜଣ ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା । ବିଭିନ୍ନ ଯୋଜନାରେ କାର୍ଯ୍ୟରତ ୩୦୧୬ ସେବିକାଙ୍କୁ ଓଡ଼ିଶା ନର୍ସିଂ ସେବା କ୍ୟାଡରର ବେସ୍ ଲେବଲ ପଦବିରେ ସାମିଲ କରାଯାଇଛି ।

୨୮୮୩ ଜଣ ସେବିକାଙ୍କୁ ନିୟମିତ କରାଯାଇଛି। କ୍ୟାଡର ପୁନର୍ଗଠନ ଯୋଗୁଁ ପ୍ରାୟ ୧୧୯୩୩ ଜଣ ନର୍ସିଂ ଅଫିସର ପଦୋନ୍ନତି ପାଇ ବିଶେଷ ଭାବରେ ଉପକୃତ ହେବେ। ନର୍ସିଂ ଅଫିସରଙ୍କ ସେବା ଅତ୍ୟାବଶ୍ୟକ ସେବା ହୋଇଥିବାରୁ ସେମାନେ ଆନ୍ଦୋଳନରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com