ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଛନ୍ତି ୱାନ୍ ନେସନ ୱାନ ଇଲେକ୍ସନ ପ୍ରସ୍ତାବ । ଯାହାକୁ କ୍ୟାବିନେଟର ମଞ୍ଜୁରୀ ମିଳିସାରିଛି । ଏହାପରେ ଆରମ୍ଭ ହୋଇଛି ରାଜନୀତିକ ବୟାନବାଜି । ୱାନ୍ ନେସନ ୱାନ ଇଲେକ୍ସନ ଦ୍ୱାରା ଦେଶରେ ଏକାଧିକ ଲାଭ ହେବା ବିଜେପି ଦର୍ଶାଇ ଥିବାବେଳେ କଂଗ୍ରେସ ଏହାକୁ ବିରୋଧ କରିଛି ।
ସେପେଟ ଆସନ୍ତା ଶୀତ ଅଧିବେଶନରେ ଏ ସମ୍ବନ୍ଧରେ ଏକ ବିଲ୍ ଅଣାଯିବ ବୋଲି ବିଜେପି କହିଛି । ତେବେ ୱାନ୍ ନେସନ ୱାନ ଇଲେକ୍ସନ ବିଲ୍ ଯଦି ପାରିତ ହେଉଛି ତେବେ ହେବ କଣ? ଏହାର ଫାଇଦା କାହାକୁ ବେଶୀ ମିଳିବ? ଆସନ୍ତୁ ଏସମ୍ପର୍କରେ ଆଲୋଚନା କରିବା ।
ଦେଶରେ ନିର୍ବାଚନ ଘୋଷଣା ହେବା ଠାରୁ ଆଚରଣ ବିଧି ଲାଗୁ ହୋଇଥାଏ । ଏହି ସମୟରେ ସବୁ ପ୍ରଶାସନିକ ଦାୟିତ୍ୱ ମୁଖ୍ୟ ନିର୍ବାଚନ କମିଶନରଙ୍କ ହାତରେ ରୁହେ । ୱାନ୍ ନେସନ ୱାନ ଇଲେକ୍ସନ କାର୍ଯ୍ୟକାରୀ ହେଲେ ଯେହେତୁ ସାରା ଦେଶରେ ଏକା ସାଙ୍ଗରେ ନିର୍ବାଚନ ହେବ ତେଣୁ ସେହି ୩, ୪ ମାସ ସିଇସିଙ୍କ ପାଖରେ ରହିବ ସମସ୍ତ କ୍ଷମତା ।
ଯେକୌଣସି ଘଟଣା, ଦୁର୍ଘଟଣା ଯାହାବି ଘଟିବ କିମ୍ବା ରାଜନୈତିକ ସ୍ତରରେ ବଡ଼ ଧରଣର ହଲଚଲ ହେଲେବି ସେସବୁ ଉପରେ ଆକ୍ସନ ନେବେ ମୁଖ୍ୟ ନିର୍ବାଚନ ଅଧିକାରୀ । ଏମିତିକି ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଧିକ କ୍ଷମତାଶାଳୀ ହେବେ ସିଇସି ।
ତେଣୁ ଏ ଦୃଷ୍ଟିରୁ ଦେଖିଲେ ରାଷ୍ଟ୍ରପତିଙ୍କ ପରେ ସିଇସି ହେବେ ଦ୍ୱିତୀୟ କ୍ଷମତା ସମ୍ପନ୍ନ ବ୍ୟକ୍ତି । ଅର୍ଥାତ୍ ନିର୍ବାଚନ ସମୟରେ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁହେବା ଠାରୁ ଆରମ୍ଭ କରି ଉଠିବା ଯାଏ ଦେଶ ଚଳାଇବେ ମୁଖ୍ୟ ନିର୍ବାଚନ କମିଶନର ।