ଭୁବନେଶ୍ୱର: ଗତ ନିର୍ବାଚନ ପରାଜୟର କାରଣ ଖୋଜି ଚାଲିଛି ବିଜେଡି । ଏନେଇ ଦଳର ମୁଖିଆ ମଧ୍ୟ ସମସ୍ତଙ୍କୁ ଏହାର ହିସାବ ମାଗୁଛନ୍ତି । ତେବେ ଦଳ ପରାଜୟ ବରଣ ପରେ ନବୀନ ଏବେ ଆକ୍ଟିଭ୍ ହୋଇଛନ୍ତି । ଦଳୀୟ ନେତାମାନଙ୍କୁ ଡାକି ବୈଠକ ପରେ ବୈଠକ କରୁଛନ୍ତି ।
ହେଲେ ବୈଠକରେ ମାନସ ମନ୍ଥନ କରୁଛନ୍ତି ସୁପ୍ରିମୋଙ୍କଠାରୁ ଆରମ୍ଭ କରି ଦଳୀୟ ନେତା । ଏନେଇ ଏପର୍ଯ୍ୟନ୍ତ ପରାଜୟର କାରଣ ପାଇପାରୁନି ବିଜେଡି l ଅନ୍ୟପଟେ ଗତ ୨୫ ତାରିଖରେ ବିଜେଡି ତିନି ତିନୋଟି କମିଟି ଘୋଷଣା କରିଥିଲା । ଉପଦେଷ୍ଟା କମିଟି, ସଦସ୍ୟତା ଅଭିଯାନ କମିଟି ଏବଂ କାର୍ଯ୍ୟକ୍ରମ ପରିଚାଳନା କମିଟି ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ୩ଟି ଯାକ କମିଟିରେ ଦଳର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଏବଂ ଓ ସାସଂଦ ମାନସ ମଙ୍ଗରାଜଙ୍କ ନାଁ ନଥିଲା । ଯାହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଜୋର ହେଉଛି । କୁହାଯାଉଛି କି ବବିଙ୍କ ଉପରେ ଆଉ କୁଆଡ଼େ ସୁପ୍ରିମୋଙ୍କ ଭରସା ନାହିଁ । ସେଥିପାଇଁ କମିଟି ତାଲିକାରେ ବବିଙ୍କ ନାଁ ନାହିଁ ।
ସେମିତି ମାନସଙ୍କୁ ମଧ୍ୟ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଏହି ହାରିବାକୁ ନେଇ ଏକ ବଡ଼ ବୟାନ ଦେଇଥିଲେ ବୌଦ୍ଧ ଜିଲା କଣ୍ଟାମାଳର ବିଜେଡି ନେତା ମହୀଧର ରଣା । ସେ କହିଥିଲେ, ଆମ ନିଜ ନିଜ ଭିତରେ ଆକ୍ରୋଶ ମନୋଭାବ ରହିଲା । ଯେଉଁଥିପାଇଁ ଦଳ ପରାଜିତ ହେଲା ।
ଏଥିସହିତ ନିର୍ବାଚନରେ ପଞ୍ଚାୟତ, ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲାନାହିଁ । ଦାୟିତ୍ୱ ଓ ଗୁରୁତ୍ୱ ଦିଆ ନ ଯିବାରୁ ଦଳ ହାରିଗଲା । ସବୁଠୁ ବଡ଼ କାରଣ ହେଲା ବିଜେପି ତୁଳନାରେ ବିଜେଡିର ନିର୍ବାଚନୀ ଇସ୍ତାହାର ସେତେଟା ଆଖିଦୃଶିଆ ନ ଥିଲା । ଫଳରେ ଦଳକୁ ପରାଜୟ ଭୋଗିବାକୁ ପଡ଼ିଲା ।
ସେହିପରି ପୂର୍ବରୁ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଦଳର ପରାଜୟ ଉପରେ ଖୋଲାଖୋଲି ନିଜ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ସେ କହିଥିଲେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନ ବୁଲିବା କାରଣରୁ ବିଜେଡି ପରାଜୟବରଣ କରିଛି । ବିଜେଡିର ସବୁ ସ୍ଥାନରେ ଭୋଟ ଅଛି l
କିନ୍ତୁ ନବୀନ ବୁଲିଲେନି କି ସମୟ ଦେଇ ନ ପାରିବାରୁ କିଛି ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା । ସେ ଆଉଥରେ ବୁଲିଲେ ସଂଗଠନ ଫେରିଆସିବ ବୋଲି ଆଶା ରହିଛି । ଏହାପୂର୍ବରୁ ବିଜେଡି ନେତା ପ୍ରଦୀପ ମାଝୀ ବିଜେଡି ପରାଜୟ ପାଇଁ ୩ କାରଣକୁ ଦାୟୀ କରିଥିଲେ ।
ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା l ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ । ଖରାପ ନିର୍ବାଚନ ପରିଚାଳନାକୁ ସେ ପରାଜୟର ମୁଖ୍ୟ କାରଣ ବୋଲି ଆଲୋଚନା ହୋଇଛି ।
ସୂଚନା ଅନୁସାରେ,ଗତ ନିର୍ବାଚନରେ ବିଜେଡିର ବଡ଼ ପରାଜୟ ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ସହ ପ୍ରାୟତଃ ଆଲୋଚନା କରୁଛନ୍ତି । ଦଳର ପରାଜୟ ପାଇଁ ନେତାମାନେ ବିଭିନ୍ନ କାରଣକୁ ଦାୟୀ କରିଛନ୍ତି ।