ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟ ମାମଲା: ଭୁଲ୍ ମାଗିଲେ ବୁଦ୍ଧାଦିତ୍ୟ
ଭୁବନେଶ୍ୱର: ବିବାଦୀୟ ପୋଷ୍ଟ ପାଇଁ କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି l କିଛି ଦିନ ତଳେ ରାହୁଲ ଗାନ୍ଧୀଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ କରିଥିବା ପୋଷ୍ଟ ପାଇଁ କ୍ଷମା ମାଗିଛନ୍ତି ବୁଦ୍ଧାଦିତ୍ୟ । ଏନେଇ ଉପୁଜିଥିବା ବିବାଦ ଉପରେ ତୁରନ୍ତ ପୋଷ୍ଟ ହଟାଇଥିବା କହିଛନ୍ତି ବୁଦ୍ଧାଦିତ୍ୟ । ଭୁଲବଶତଃ ଏଭଳି ପୋଷ୍ଟ କରିଥିବା ସେ କହିଛନ୍ତି । ସମଗ୍ର କଂଗ୍ରେସ ପରିବାର ଓ ରାହୁଲ ଗାନ୍ଧୀଙ୍କୁ ବୁଦ୍ଧାଦିତ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି । ଏଭଳି ଭୁଲ୍ ନହେବା ପାଇଁ ଆଗକୁ ସତର୍କ ରହିବି ବୋଲି କହିଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି ।
ସୂଚନା ଅନୁଯାୟୀ, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ କ୍ୟାପିଟାଲ ଥାନାରେ ଛାତ୍ର କଂଗ୍ରେସ ପକ୍ଷରୁ ଏତଲା ଦିଆଯାଇଥିଲା । ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ ଅଭିଯୋଗ କରିଥିଲା । ଏହି ଅଭିଯୋଗକୁ ପୁଲିସ ଗ୍ରହଣ କରିବା ସହ ଘଟଣାର ତଦନ୍ତ କରୁଛି । ଅଭିଯୋଗ ଅନୁସାରେ, ଅଭିନେତା ବୁଦ୍ଧାଦିତ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଲରେନ୍ସଙ୍କ ଫଟୋ ପୋଷ୍ଟ କରି ରାହୁଲ ପରବର୍ତ୍ତୀ ଟାର୍ଗେଟ ବୋଲି ବୁଦ୍ଧାଦିତ୍ୟ ଲେଖିଥିବା ଅଭିଯୋଗରେ ଛାତ୍ର କଂଗ୍ରେସ ପକ୍ଷରୁ ଦର୍ଶାଯାଇଥିଲା ।
ଏନେଇ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଥିଲେ ଯେ, ବୁଦ୍ଧାଦିତ୍ୟ ଉକ୍ତ ପୋଷ୍ଟକୁ ଡିଲିଟ୍ କରିଛନ୍ତି l ଯେଉଁଭଳି ସେ ଭୁଲ୍ ପୋଷ୍ଟ କରିଥିଲେ ସେଭଳି ସାମାଜିକ ଗଣମାଧ୍ୟମରେ କ୍ଷମା ମାଗନ୍ତୁ l ନଚେତ୍ ଆଗାମୀ ଦିନରେ ତାଙ୍କୁ ବାଟ ଚଲାଇ ଦେବୁନାହିଁ । କାଳି ମାଡ଼ କରିବୁ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଥିଲା ।