ଓଡ଼ିଶା

ପୁରୀ-ସାଗରଦ୍ଵୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ‘ଦାନା’; ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ

ଭୁବନେଶ୍ୱର: ଆସିଲା ବାତ୍ୟା ଦାନାର ନୂଆ ଗତିପଥ । ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶାରେ ହିଟ୍‌ କରିପାରେ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବ। ବାତ୍ୟା ‘ଦାନା’ ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ଵୀପ ମଧ୍ୟରେ କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ଗତିପଥରୁ ସ୍ପଷ୍ଟ ହେଉଛି । ସୋମବାର ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ର ସୃଷ୍ଟି କରିଛି । ମଙ୍ଗଳବାର ଏହା ଅବପାତରେ ପରିଣତ ହେବ। ୨୩ ତାରିଖରେ ଅବପାତଟି ବାତ୍ୟାରେ ପରିଣତ ହେବ। ୨୪ ତାରିଖ ମଧ୍ୟରାତ୍ରି କିମ୍ବା ୨୫ ତାରିଖ ସକାଳେ ଏହା ସ୍ଥଳଭାଗ ଛୁଇଁବ । ତେବେ ଲଘୁଚାପ ଅବପାତରେ ପରିଣତ ହେବା ପରେ ଏହାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଜଣାପଡ଼ିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନର ଆକଳନ ଅନୁସାରେ, ଲଘୁଚାପ କ୍ଷେତ୍ର ସ୍ଥଳ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ୨୨ ତାରିଖ ସକାଳ ସୁଦ୍ଧା ଅବପାତରେ ରୂପାନ୍ତରିତ ହେବ। ୨୩ ତାରିଖରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବା ବାତ୍ୟା ରୂପ ନେବ। ଏହା ପରେ ବାତ୍ୟା ଉତ୍ତର-ପଶ୍ଚିମ ଆଡକୁ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟବର୍ତ୍ତୀ ହେବ। ଏହା ପରେ ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହେବ। ୨୪ ତାରିଖ ମଧ୍ୟରାତ୍ରି କିମ୍ବା ୨୫ ତାରିଖ ସକାଳେ ବାତ୍ୟାଟି ଭୀଷଣ ବାତ୍ୟା ରୂପ ନେଇ ପୁରୀ ଏବଂ ସାଗରଦ୍ଵୀପ ମଧ୍ୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ବେଳେବେଳେ ଏହା ୧୨୦ କିଲୋମିଟର ଛୁଇଁପାରେ ବୋଲି ଆକଳନ ହୋଇଛି ।

ସେପଟେ ବାତ୍ୟା ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ବୋଲି କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ଅଛନ୍ତି । ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ ସେ କହିଛନ୍ତି । ସେହିଭଳି ସେ ଆହୁରି କହିଛନ୍ତି ‘ମୁଖ୍ୟ ସଚିବ, ଏସ୍‌ଆର୍‌ସି ସମୀକ୍ଷା କରିଛନ୍ତି । ମୁଁ ବି ସମୀକ୍ଷା କରିବି । କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ନୁହେଁ, ପୂରା ୩୦ ଜିଲ୍ଲାରେ ପ୍ରସ୍ତୁତି ରହିବ । ୩୦ ଜିଲ୍ଲାରେ ଓଡ୍ରାଫ୍‌ ଟିମ୍‌ ମୁତୟନ ରହିବେ, ଏନ୍‌ଡିଆର୍‌ଏଫ୍‌କୁ ମଧ୍ୟ ଆଲର୍ଟ ରଖାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ କଡ଼ା ବାରଣ କରାଯାଇଛି । ଟ୍ରଲରମାଲିକ ଯଦି ଜୋର୍‌ କରି ପଠାନ୍ତି, ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ’ । ସେହିଭଳି ଲୋକଙ୍କୁ ସ୍ଥାନାନ୍ତରକୁ ନେଇ କହିଛନ୍ତି ଯେ, ‘ସମୟ ଯେତେ ପାଖେଇ ଆସିବ, ଆମେ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରିବୁ। ଆବଶ୍ୟକ ହେଲେ ଯଥେଷ୍ଟ ଆଗରୁ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ, କେହି ଭୟଭୀତ ହୁଅନ୍ତୁନି’ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com