ଓଡ଼ିଶା

ବାତ୍ୟା ‘ଦାନା’: ‘ଜିରୋ କାଜୁଆଲିଟି’ ପାଇଁ ବିଧାୟକଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଡ଼ି ଆସୁଛି ବାତ୍ୟା ‘ଦାନା’ l ଆଉ ଏହାର ଦୃଢ଼ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ଭାବେ ପ୍ରସ୍ତୁତି କରିବା ସହ ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ୱ ଦେଇଛନ୍ତି । ପ୍ରଶାସନିକ ସ୍ତରରେ ଆଗୁଆ ପଦକ୍ଷେପ ନିଆଯାଉ ଥିବାବେଳେ ବିଧାୟକ ନିଜ ଅଞ୍ଚଳବାସୀଙ୍କ ସହ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମାଝୀ ନିଜ ସାମାଜିକ ଗଣମାଧ୍ୟମରେ ସମସ୍ତ ବିଧାୟକଙ୍କ ସହଯୋଗ କାମନା କରି ଲେଖିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ସହ ସମନ୍ୱିତ ଭାବେ ବାତ୍ୟା ମୁକାବିଲା କରିବା ଦରକାର ।

ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଧାୟକ ନିଜ ଅଞ୍ଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି । ବାତ୍ୟା ‘ଦାନା’ର ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ଅଯଥା ଭୟଭୀତ ନହେବା ପାଇଁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହଜୁଦକାରୀଙ୍କ ଖାଦ୍ୟ ଗଚ୍ଛିତ ନରଖିବା ପାଇଁ ନିର୍ଦେଶ ଦିଆଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବାତ୍ୟା ମୁକାବିଲା ଓ ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରହିଥିବା ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି । ‘ଦାନା’ର ମୁକାବିଲା ପାଇଁ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି ।

ନିଜର ବିଭାଗୀୟ ୧୧ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲା ଦାୟିତ୍ୱ ଦେବା ସହ ସବୁ ମହାନଗର ନିଗମ ଓ ପୌରାଞ୍ଚଳ ନିମନ୍ତେ ମାର୍ଗଦର୍ଶିକା (ଏସଓପି) ଜାରି କରାଯାଇଛି । ଶକ୍ତି ସଚିବ ହେମନ୍ତ ଶର୍ମା ବାତ୍ୟା ମୁକାବିଲା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରି କହିଛନ୍ତି l ଅଧିକ ବର୍ଷା ପବନ ହେଲେ ବିଦ୍ୟୁତ୍‌ କାଟ କରାଯିବ । ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ବିଦ୍ୟୁତ୍‌ ଖୁଣ୍ଟ ମରାମତି କରି ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ପାଇଁ ବିଭାଗ ସଜାଗ ରହିଛି । ଏଥିପାଇଁ ୧୦ ହଜାର କର୍ମଚାରୀ ରହିଥିବା ବେଳେ ୮ ହଜାର ଖୁଣ୍ଟ ଏବଂ ୫ ହଜାର ଟ୍ରାନ୍ସଫର୍ମର ରଖାଯାଇଛି । ପାଣିପାଗ ବିଭାଗ ଓ ସରକାରଙ୍କ ପରାମର୍ଶ ମାନି ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ଦିନ କେହି ଘର ପଦାକୁ ନ ଯିବାକୁ କୁହାଯାଇଛି । ସେହିପରି ଜରୁରୀକାଳୀନ କିଟ୍‌ ଯଥା ଟର୍ଚ୍ଚ, ଫାଷ୍ଟଏଡ୍‌ ବକ୍ସ, ପାଣି ବୋତଲ, ଖାଦ୍ୟ ଆଦି ରଖିବାକୁ ପରାମର୍ଶ ଦିଆଯାଇଛି । ଗଛ, ବିଦ୍ୟୁତ୍‌ ଖୁଣ୍ଟି, ଭଙ୍ଗାଘର ନିକଟରେ ଗାଡ଼ି ନରଖିବା କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com