ବାତ୍ୟା ‘ଦାନା’: ବିପଦ ବେଳେ ଅସୁସ୍ଥ ମହିଳାଙ୍କ ପାଇଁ ଦେବଦୂତ ପାଲଟିଥିଲେ ମାନସ ମଳିକ,
ଭୁବନେଶ୍ୱର: ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ପୂର୍ବରୁ ରାଜନଗରରେ ଆରମ୍ଭ ହୋଇଥିଲା ବର୍ଷା । ଆଉ ଏହି ସମୟରେ ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ ଗଁlର ଜଣେ ମହିଳା ଅସୁସ୍ଥ ହୋଇପଡିଥିବା ନେଇ ୧୦୮କୁ ଫୋନ ଆସିଥିଲା । ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଳିକ ଅସୁସ୍ଥ ମହିଳାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ଯାଇଥିଲେ । ହେଲେ ରାସ୍ତାରେ ଗଛ ପଡିଯାଇଥିବାରୁ ଗାଡ଼ି ଘର ପାଖକୁ ଯାଇପାରି ନଥିଲା । ଡ୍ରାଇଭର ମାନସ ସମ୍ପୃକ୍ତା ମହିଳାଙ୍କୁ ଦୁଇହାତରେ ଟେକି କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଯାଏ ଆଣିଥିଲେ ।
ଏହାପରେ ଆମ୍ବୁଲାନ୍ସରେ ମହିଳାଙ୍କୁ ଆଣି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ଥିଲେ । ଠିକ୍ ସମୟରେ ମହିଳା ଜଣଙ୍କ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଁଞ୍ଚିବାଥିବା ଯୋଗୁ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ବିପଦ ସମୟରେ ଡ୍ରାଇଭର ମାନସ ମହିଳାଙ୍କୁ ବୋହି ଆଣିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟୁଇଟ୍ କରି ତାଙ୍କୁ ପ୍ରଶଂସା କରିଛନ୍ତି । ଏଥିସହିତ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଟେଲିଫୋନରେ ମାନସଙ୍କ ସହ କଥା ହୋଇ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।