ଆମ୍ବ ଟାକୁଆ ଖାଇ ୨ ମୃତ; ତଦନ୍ତ ପରେ ଜଣାପଡିବ ପ୍ରକୃତ କାରଣ: ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର: ଆମ୍ବ ଟାକୁଆ ଖାଇ ଦୁଇ ମହିଳାଙ୍କ ମୃତ l ଏହି ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ l ତେବେ ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣା । ଆରମ୍ଭ ହେଲା ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଦନ୍ତ ଆରମ୍ଭ କରିଛନ୍ତି । ମେଡିକାଲ ଟିମ୍ ସେଠାରେ ପହଞ୍ଚି ଅନୁସନ୍ଧାନ କରୁଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଦୁଇ ଜଣଙ୍କ ମୃତ୍ୟୁ କଥା କୁହାଯାଉଛି, ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହସ୍ପିଟାଲ ଆସିବା ବାଟରେ ହୋଇଥିଲା ଏବଂ ଅନ୍ୟ ଜଣଙ୍କ ମୃତ୍ୟୁ ହସ୍ପିଟାଲରୁ ଆସିବା ପରେ ହୋଇଥିଲା । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ରିପୋର୍ଟ ଆସିବା ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ସେହିପରି ଅନ୍ୟ ୬ ଜଣ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି । କଲେଜ କର୍ତୃପକ୍ଷଙ୍କୁ ଉଚିତ୍ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ ଖାଇବା ଘଟଣା ପୂର୍ବରୁ ଅନେକ ସମୟରେ ଗଣମାଧ୍ୟ୍ୟମରେ ଆସିଛି । ସେମାନେ ଖରା ଦିନେ ଶୁଖାଇ ବର୍ଷା ଦିନେ ଖାଆନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିରେ ଅନ୍ୟ କିଛି ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି ।
ଅନ୍ୟପଟେ ଏହି ଘଟଣାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ନିଜର ମତ ରଖିଛନ୍ତି । ଆମ୍ବ ଟାକୁଆ ଖାଇ ଅସୁସ୍ଥ ତଥା ମୃତ୍ୟୁ ବରଣ କରିଥିବା ଘଟଣା ଉପରେ ସେ କହିଛନ୍ତି ଯେ, ଆମ୍ବ ଟାକୁଆ ତାଙ୍କର ନିୟମିତ ଖାଦ୍ୟ । ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଏପରି ହୋଇଛି । ଟାକୁଆ ଖାଇବା ତାଙ୍କ ଖାଦ୍ୟ ତରିକା । ତାଙ୍କ ଖାଦ୍ୟର ଗୋଟିଏ ପାର୍ଟ । ତାଙ୍କ ଖାଇବା ଜିନିଷ ବିଷାକ୍ତ ହୋଇଯାଇଛି । ତେବେ ବେଟି ବଚାଓ ଓ ବେଚି ପଢ଼ାଓ ଜରିଆରେ ଆମେ ସମସ୍ତଙ୍କୁ ସଚେତନ କରୁଛୁ । ସରକାର ଯାହା ନିର୍ଦ୍ଦେଶ ଦେବା କଥା ଦେଇ ସାରିଛନ୍ତି । ଘଟଣାସ୍ଥଳକୁ ଅଙ୍ଗନୱାଡି ଦିଦି ଯାଇଥିବା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।