ଓଡ଼ିଶା
ଆଜିଠୁ ଆରମ୍ଭ ରତ୍ନଭଣ୍ଡାର ମରାମତି, ଦିନ ୧୨ଟା ୩୦ରେ ରତ୍ନଭଣ୍ଡାରକୁ ପ୍ରବେଶ କରିବେ ଟିମ୍
ପୁରୀ: ଆଜିଠୁ ଆରମ୍ଭ ମରାମତି । ୧୭ ତାରିଖରୁ ଆରମ୍ଭ ହୋଇଥିବା ଭାରା ବନ୍ଧା ଶେଷ ହେବା ପରେ ଆଜିଠୁ ରତ୍ନଭଣ୍ଡାରର ମରାମତି କାମ କରାଯିବ । ପ୍ରଥମେ ଭିତର ଓ ପରେ ହେବ ବାହାର ଭଣ୍ଡାର ମରାମତି କାମ କରାଯିବ । ପ୍ରଥମେ ଭାରା ବନ୍ଧା ହୋଇ ସଂପୂର୍ଣ୍ଣ କାନ୍ଥର ପ୍ଲାଷ୍ଟର ଛଡ଼ାଯିବ । ଶ୍ରୀଜୀଉଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ଦିନ ପ୍ରାୟ ୧୨ଟା ୩୦ରେ ମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଦୁଆର ଚାବି ଖୋଲାଯିବ । ଏଏସଆଇ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ତଦାରଖ କମିଟି କର୍ମକର୍ତ୍ତା ଭିତରେ ପ୍ରବେଶ କରିବେ । ସେଥିପାଇଁ ଭିତର ଓ ବାହାର ରତ୍ନଭଣ୍ଡାରରେ ଭାରା ବନ୍ଧାଯାଇ ରତ୍ନଭଣ୍ଡାର କାନ୍ଥ, ଛାତ ଏବଂ ଚଟାଣରୁ ପଲସ୍ତରା ଛଡ଼ାଯିବ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କହିବା ମୁତାବକ ତିନିମାସ ମଧ୍ୟରେ ରତ୍ନଭଣ୍ଡାର ମରାମତି ଶେଷ କରିବାକୁ ସ୍ଥିର କରାଯାଇଛି । ବିଶେଷ କରି ଏହି କାମ ସମୟରେ ଯେପରି ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ସୃଷ୍ଟି ନ ହୁଏ ତାକୁ ନଜରରେ ରଖି ଧ୍ୟାନ ଦିଆଯାଉଛି ।