କ୍ରୀଡ଼ା

OCA ପାଇଁ ବଦନାମ ହେଲା ବାରବାଟୀ ଷ୍ଟାଡିୟମ

କଟକ : ବାରବାଟୀ ଷ୍ଟାଡିୟମକୁ ଦୀର୍ଘ ୫ ବର୍ଷ ପରେ କୌଣସି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ମିଳିଥିଲା। ୨୦୧୯ରେ ଶେଷଥର ପାଇଁ ୱେଷ୍ଟଇଣ୍ଡିଜ କଟକର ଐତିହାସିକ ବାରବାଟୀରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ଏହାପରେ ୨୦୨୫ ଫେବୃଆରୀ ୯ରେ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୫ ବର୍ଷ ପରେ ବାରବାଟୀକୁ ଦିନିକିଆ ଫର୍ମାଟର ଅନ୍ତର୍ଜାତୀୟ ମ୍ୟାଚ୍‌ ଫେରିଥିବାରୁ ସମସ୍ତେ ଉତ୍ସାହିତ ଥିଲେ। ଏହାକୁ ସ୍ମରଣୀୟ କରିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଓ ରାଜ୍ୟ ସରକାର ଲାଗି ପଡ଼ିଥିଲେ।

ଖେଳାଳଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କୁ ଅନ୍ତର୍ଜାତୀୟ ସ୍ତରର ସୁବିଧା ବାରବାଟୀରେ ଯୋଗାଇ ଦେବାକୁ ଓସିଏ ଲାଗି ପଡ଼ିଥିଲା। କିନ୍ତୁ ୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବା ଭଳି ଓସିଏର ସବୁ ପରିଶ୍ରମ ପାଣିରେ ପଡ଼ି ଯାଇଛି। ଓସିଏର ଅବହେଳା ପାଇଁ ଓଡ଼ିଶା ବିଶ୍ୱ ଦରବାରରେ ନିନ୍ଦିତ ହୋଇଛି। ଏହାର କାରଣ ହେଲା ଭାରତ-ଇଂଲଣ୍ଡ ମ୍ୟାଚ୍‌ ବେଳେ ବାରବାଟୀରେ ଥିବା ୬ଟି ଟାୱାର ଫ୍ଲଡ ଲାଇଟ ମଧ୍ୟରୁ ଗୋଟିଏ ହଠାତ୍‌ ବନ୍ଦ ହୋଇଯିବାରୁ ଓସିଏ ଅପବାଦ ମୁଣ୍ଡାଇଛି। ମ୍ୟାଚର ସପ୍ତମ ଓଭର ଚାଲିଥିବା ବେଳେ ହଠାତ୍ ଗୋଟିଏ ଫ୍ଲଡ୍ ଲାଇଟ୍ ଲିଭି ଯାଇଥିଲା। ଫଳରେ ପଡ଼ିଆର କିଛି ସ୍ଥାନ ଅନ୍ଧାର ହୋଇଯାଇଥିଲା। ସେହି ସମୟରେ କ୍ରିଜରେ ଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ୍ ଗିଲ୍। ଉଭୟେ କିଛି ସମୟ କ୍ରିଜରେ ରହିବା ପରେ ପାଭିଲିୟନ୍ ଫେରିଥିଲେ। ଏଭଳି ସମସ୍ୟାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ରୋହିତ ଶର୍ମା। ଦର୍ଶକ ବି ନିରାଶ ହୋଇଥିଲେ। ପାଖାପାଖି ୨୦ ରୁ ୨୫ ମିନିଟ ପରେ ଆରମ୍ଭ ହୋଇଥିଲା ମ୍ୟାଚ୍।

କେବଳ ଫ୍ଲଟ ଲାଇଟ ନୁହେଁ, ଟିକେଟ ବିକ୍ରି ଓ ପାସ୍‌ ପ୍ରଦାନରେ ଅନିୟମିତତା ଯୋଗୁ ମଧ୍ୟ ଓସିଏ ବିବାଦ ଘେରରେ ରହିଛି। କ୍ରିକେଟ ପ୍ରେମୀ ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଏହାର ଖୁଲମ ଖୁଲା କଳାବଜାରୀ ହେବା ସମସ୍ତଙ୍କୁ ନିରାଶ କରିଛି। ଫ୍ଲଡ ଲାଇଟ ବିବାଦ ପୂର୍ବରୁ ବାରବାଟୀ ପାଣି ବୋତଲ ମାଡ଼ ଭଳି ଅପବାଦ ମୁଣ୍ଡାଇଥିଲା। ୨୦୧୫ ମସିହା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ପୂରା ଘଟଣା ଘଟିଥିଲା। ଭାରତ ମାତ୍ର ୯୨ ରନରେ ଅଲଆଉଟ ହୋଇଯିବାରୁ ଫ୍ୟାନ୍ସମାନେ ରାଗି ଯାଇଥିଲେ। ଏଥିପାଇଁ ସେମାନେ ପାଣି ବୋତଲ ମାଡ଼ କରିଥିଲେ। ଏଥିଯୋଗୁ ମ୍ୟାଚ୍‌କୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ବୋତଲ ମାଡ଼ ଘଟଣାକୁ ନେଇ ଓସିଏ ବିବାଦ ଘେରକୁ ଆସିଥିଲା। ଏଥିଯୋଗୁ ପ୍ରାୟ ୨ ବର୍ଷ ଧରି ବାରବାଟୀକୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ମିଳି ନଥିଲା। ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ଯୋଗୁଁ ଓସିଏ ପାଇଁ ଆଗକୁ ବାରବାଟୀରେ ଅନ୍ତଜାର୍ତୀୟ ମ୍ୟାଚ୍‌ ହେବ କି ନାହିଁ, ତା’ ମଧ୍ୟ ଏବେ ବିପଦ ମଧ୍ୟରେ ଫସି ଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com