ରଣବୀର ଆହ୍ଲାବାଦିଆଙ୍କ ନାଁରେ ରୁଜୁ ହେଲା ମାମଲା
![](https://i0.wp.com/odia.mobilenews24x7.com/wp-content/uploads/2025/02/Ranveer-Allahbadia.webp?resize=780%2C470&ssl=1)
ବିବାଦରେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । କମେଡିଆନ ସମୟ ରାଇନାଙ୍କ ଷ୍ଟାଣ୍ଡ ଅପ୍ କମେଡି ଶୋ ‘ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟ’ରେ ବର୍ତ୍ତମାନ ଜଜ୍ ଅଛନ୍ତି ରଣବୀର । ଏହି ଶୋ’ରେ କିଛି ଅଶାଳୀନ ପ୍ରଶ୍ନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏବେ ଏହି ମାମଲା ଥାନାରେ ପହଞ୍ଚିଛି । ଷ୍ଟାଣ୍ଡ ଅପ୍ କମେଡି ଶୋ’ରେ ପିତାମାତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପଚରାଯାଇଥିବା ଅଶ୍ଳୀଳ ପ୍ରଶ୍ନ ଯୋଗୁଁ ରଣବୀରଙ୍କ ସମେତ ସମୟ ରାଇନାଙ୍କ ନାଁରେ ମଧ୍ୟ ଏତଲା ଦାୟର କରାଯାଇଛି । ଏନେଇ ସୋସିଆଲ ମିଡିଆରେ ରଣବୀରଙ୍କୁ ବି ଜୋରଦାର ଟ୍ରୋଲ କରିଛନ୍ତି ୟୁଜର୍ସ ।
ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଫଡନାଭିସ କହିଛନ୍ତି, “ଏହି ଦେଶରେ ସମସ୍ତ ନାଗରିକଙ୍କ ବାକ୍ ସ୍ବାଧୀନତା ବା ମତ ପ୍ରକାଶ କରିବାର ଅଧିକାର ଅଛି । କିନ୍ତୁ ଯଦି କେହି ସୀମା ଅତିକ୍ରମ କରନ୍ତି କିମ୍ବା ଅଶ୍ଳୀଳ କଥା କୁହନ୍ତି ଯାହା ଜଣେ ବ୍ୟକ୍ତିଙ୍କ ଭାବନାକୁ ଆଘାତ କରେ । ତେବେ ସେମିତି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ମାମଲା ଅଧିକ ଗମ୍ଭୀର ହେଉଥିବାବେଳେ ନିଜ ବିବାଦୀୟ ଟିପ୍ପଣୀକୁ ନେଇ କ୍ଷମା ମାଗିଛନ୍ତି ରଣବୀର ଆହ୍ଲାବାଦିଆ । ଏକ ଭିଡିଓ ଜାରି କରି ସେ କହିଛନ୍ତି, “ମୁଁ କମେଡିଆନ ନୁହେଁ । ଯାହା ହେଲା ସେଥିପାଇଁ ମୁଁ କୌଣସି ଏକ୍ସକ୍ୟୁଜ ଦେଉନି କି ସ୍ପଷ୍ଟୀକରଣ ରଖୁନାହିଁ । ବରଂ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି ଓ ମୋ ଭୁଲ ସ୍ବୀକାର କରୁଛି । ଆଶା କରୁଛି ଆପଣମାନେ ମୋତେ କ୍ଷମା କରିଦେବେ । ଆଗକୁ ମୁଁ ଏପରି ଭୁଲ ଦୋହରାଇବି ନାହିଁ ।” ଏହାସହ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି କ୍ଲିପ୍ ଡିଲିଟ କରିବାକୁ ରଣବୀର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।