ଚାମ୍ପିୟନ୍ସ ଟ୍ରଫିରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଭାରତ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲରେ ପ୍ରଥମ ଦଳ ଭାବରେ ପହଞ୍ଚିଲା ଭାରତ । ଗତକାଲି ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ଭାରତ-ଅଷ୍ଟ୍ରେଲିଆ । ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଭାରତୀୟ ବୋଲିଂ ଆଟାକ୍ ସାମ୍ନାରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ମାତ୍ର ୨୬୪ ରନ୍ କରି ଅଲଆଉଟ୍ ହୋଇଥିଲା ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ୱିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୭୩ ରନ୍ କରିଥିଲେ।
ତେବେ ୨୬୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷରେ ପୁଣି ଥରେ କୋହଲି ଖେଳିଥିଲେ ବଡ଼ ଇନିଂସ। ବିରାଟ କୋହଲିଙ୍କ ଦମଦାର ୮୪ ରନ୍ ବଳରେ ଭାରତ ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ପରାସ୍ତ କରିଛି । ଏହି ବିଜୟ ସହ ପ୍ରଥମ ଦଳ ଭାବେ ଭାରତ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।ଏହି ବିଜୟ ସହ ୨୦୨୩ ନଭେମ୍ବର ୧୯ର ବଦଲା ନେଇଛି ଟିମ୍ ଇଣ୍ଡିଆ ।