ମେ’ ମାସରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ସରିଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଛାତ୍ରଛାତ୍ରୀମାନେ ଶେଷ ଦିନରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଇଛନ୍ତି । ଗତ ଫେବ୍ରୁଆରୀ ୨୧ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଜ୍ୟରେ ହୋଇଥିବା ୩ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଥିଲା । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବା ସହ ୬ଶହ କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର ଭାଇରାଲ୍ କୁ ରୋକିବା ପାଇଁ କ୍ୟୁଆର୍ କୋର୍ଡ ଏବଂ ୱାଟର ମାର୍କ ର ବ୍ୟବସ୍ଥା କରାଯାଇଥିଲା ।
ଅନ୍ୟପଟେ ମେ’ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ। ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ନେଇ ଆଜି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ବୋର୍ଡ ସଭାପତି କହିଛନ୍ତି, ମାର୍ଚ୍ଚ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ମେ’ମାସ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିବ।