
ଝାରସୁଗୁଡ଼ା: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ପୁଣିଥରେ ଜୋରଦାର ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ବିଭିନ୍ନ ଦିଗ ଏବଂ ବ୍ୟକ୍ତିଙ୍କୁ ନେଇ ତଦନ୍ତ ଚାଲିଥିଲାବେଳେ ନବଙ୍କ ପରିବାରକୁ କିଛି ବ୍ୟକ୍ତି ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି । ବିନା ପ୍ରମାଣରେ କିଛି ବ୍ୟକ୍ତି ଗଣମାଧ୍ୟମ ସାମ୍ନାକୁ ଆସି ବୟାନବାଜି କରୁଛନ୍ତି । ଏଭଳି ମନ୍ତବ୍ୟ ଦେଉଛନ୍ତି ଯେ, ଯେଉଁଥରେ ସତ୍ୟତା ନେଇ ସ୍ପଷ୍ଟତା ନାହିଁ । ବିଶେଷକରି ଜଣେ ବରିଷ୍ଠ ବ୍ୟକ୍ତି ନବଙ୍କ ପରିବାରକୁ ଟାର୍ଗେଟ କରି ବିଭିନ୍ନ ଗଣମାଧ୍ୟମକୁ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । ଯାହା ଏକାଧିକ ଗଣମାଧ୍ୟମରେ ଭାଇରାଲ ହେଉଛି । ତେବେ ଏହି ବ୍ୟକ୍ତିଙ୍କ ମନ୍ତବ୍ୟ ନିଜସ୍ୱ ବୋଲି କୁହାଯାଉଛି । ଏହା କେବଳ ଦୀପାଳି ଏବଂ ନବଙ୍କ ପରିବାରକୁ ଅପମାନ କରିବା ପାଇଁ କିଛି ବ୍ୟକ୍ତି ବିଶେଷଙ୍କ ଷଡଯନ୍ତ୍ର ବୋଲି ଚର୍ଚ୍ଚା ।
ଖାଲି ନବଙ୍କ ପରିବାରର ଚରିତ୍ର ସଂହାର ନୁହେଁ ବରଂ ତଦନ୍ତ ଚାଲିଥିବା ସମୟରେ ବି ନବଙ୍କ ମୃତୁ୍ୟକୁ ନେଇ ମନଇଚ୍ଛା ବିବୃତ୍ତି ଦେଉଛନ୍ତି । ଏହି ବ୍ୟକ୍ତିଙ୍କର ନବ ଏବଂ ନବଙ୍କ ପରିବାର ସହ କ’ଣ ଶତୃତା ରହିଛି ତାହା ତ ଆମେ ଜାଣିନୁ କିନ୍ତୁ ବାରମ୍ବାର ମିଡିଆ ସାମ୍ନାକୁ ଆସି ପ୍ରଳାପ କରୁଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ନବ ଦାସଙ୍କ ମୃତୁ୍ୟକୁ ୨ ବର୍ଷ ବିତି ଗଲାଣି । କିନ୍ତୁ ଏତେ ଦିନ ପରେ ହଠାତ୍ ମିଡିଆ ସାମ୍ନାକୁ କାହିଁକି ଆସିଲେ ଏହି ବ୍ୟକ୍ତି ଜଣକ । ଆସିବାର କାରଣ ପଛରେ ରହିଛି କି କିଛି ମନ୍ଦ ଉଦେ୍ଦଶ୍ୟ । ପୁଣି ଏମିତି ସମୟରେ ମୁହଁ ଖୋଲିଁଛନ୍ତି ଯେତେବେଳେ କ୍ରାଇମବ୍ରାଞ୍ଚ ପୁନଃ ତଦନ୍ତ କରୁଛି ।
ତେବେ ଏଭଳି ଭିତ୍ତିହୀନ ମନ୍ତବ୍ୟ ଦେଇ ବ୍ୟକ୍ତି ଜଣଙ୍କ ତଦନ୍ତର ଦିଗ ବଦଳାଇବାକୁ ଚାହୁଁଛନ୍ତି କି? ଏହି ବ୍ୟକ୍ତି ଏକା ଅଛନ୍ତି ନା ତାଙ୍କ ପଛରେ କୌଣସି ରାଜନୈତିକ ଦଳ ବା ବ୍ୟକ୍ତି ବିଶେଷଙ୍କ ସମ୍ପୃକ୍ତି ରହିଛି ? ନବଙ୍କ ପରିବାରର ସମ୍ମାନକୁ ତଳେ ପକାଇବା ସହ ଦୀପାଳିଙ୍କ ପଲିଟିକାଲ କ୍ୟାରିୟରକୁ ଖରାପ କରିବା ପାଇଁ ଚେଷ୍ଟା ଚାଲିଛି କି? ଯାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଝାରସୁଗୁଡ଼ା ଟାଉନଥାନାରେ ଅଭିଯୋଗ କରିଛନ୍ତି ନବଙ୍କ ପୁଅ ବିଶାଲ ଦାସ ।