
କେନ୍ଦୁଝର : ଗହଣା ଦୋକାନୀଙ୍କ ଠାରୁ ଲୁଟ୍ । ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ତାଙ୍କୁ ଆକ୍ରମଣ କରି ସୁନା ରୂପା ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଏପରି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ।
ଘଟଣାନୁଯାୟୀ ସାହୁ ଜୁଏଲାରୀ ଓ୍ବର୍କସପ୍ ମାଲିକ ଦୀପକ ସାହୁ ରବିବାର ସନ୍ଧ୍ୟାରେ ଦୋକାନ ବନ୍ଦ କରି ନିଜ ମୋଟର ସାଇକେଲରେ ସୁନା ଓ ରୁପା ଗହଣା ବ୍ୟାଗ୍ ଧରି ଘରକୁ ଫେରୁଥିଲେ । ଏହି ସମୟରେ ଘର ନିକଟରେ ୨ଟି ମୋଟର ସାଇକେଲରେ ୫ ଜଣ ଦୁର୍ବୃତ୍ତ ପିଛା କରିଥିଲେ। ସେ ଖସି ପଳାଇବାକୁ ଉଦ୍ୟମ କରିବାରୁ ଗାଡ଼ି ସହ ପଡ଼ି ଯାଇଥିଲେ। ସେମାନେ ଆସି ତାଙ୍କ ମୁଣ୍ଡକୁ ଓ ହାତକୁ ବାଡ଼ିରେ ଆକ୍ରମଣ କରି ତାଙ୍କ ମୋଟର ସାଇକେଲ ଡିକିରୁ ସୁନା ରୂପା ଭର୍ତ୍ତି ବ୍ୟାଗ୍ ନେଇ ପଳାଇଥିଲେ। ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି ।
ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି। ପାଖରେ ଥିବା ତାରିଣୀ ଗେଷ୍ଟ ହାଉସ୍ ସିସିଟିଭି ଫୁଟେଜ୍ ସଂଗ୍ରହ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ପୂର୍ବରୁ ମଧ୍ୟ ଉକ୍ତ ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବା ବେଳେ କେହି ଧରା ପଡ଼ି ନ ଥିବା ବେଳେ ପୁଣି ଲୁଟ୍ ତାଙ୍କର ଚିନ୍ତା ବଢାଇ ଦେଇଛି। ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି ।